ଆସନ୍ତା ୧୯ରେ ପାଟକୁରାରେ ପଡ଼ିବ ଭୋଟ୍ । ମେ’ ୧ରେ ନାମାଙ୍କନ, ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ।

538

କନକ ବ୍ୟୁରୋ: ଆସନ୍ତା ମେ’ ୧୯ ତାରିଖରେ ହେବ ପାଟକୁରା ବିଧାନସଭା ନିର୍ବାଚନ । ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ କରିଥିଲେ ରିଟଣ୍ଣିଂ ଅଫିସର । ତେବେ ମେ’ ୧୯ରେ ପାଟକୁରାରେ ପଡିବ ଭୋଟ୍ । ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ, ଆସନ୍ତା ମେ ୧ ତାରିଖରେ ନାମାଙ୍କନ ଦାଖଲ କରାଯିବାକୁ ଥିବା ବେଳେ ମେ’ ୨ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ, ସେହିଭଳି , ମେ’ ୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏବଂ ୧୯ରେ ପଡିବ ଭୋଟ୍ ବୋଲି ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି ।

ଅନ୍ୟପଟେ ପାଟକୁରାରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଦେବ । କାରଣ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିପାରିବେ ନାହିଁ । ଗତ ୨୨ ତାରିଖରେ ପାଟକୁରା ବିଧାନସଭା ଆସନ ନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଥିଲା । ତେବେ ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନ ସାନି ମତଦାନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ବିଜେଡି ପ୍ରାର୍ଥୀ ନାଁ ଘୋଷଣା କରିବେ । ତେବେ ବର୍ତ୍ତମାନ ଏହି ବିଧାନସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ।