ପାଟକୁରା ନିର୍ବାଚନୀ ଆକାଶକୁ ଘେରିଲା ଆଶା ଆଶଙ୍କାର ବାଦଲ । ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ଘୁଂଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

251

କନକ ବ୍ୟୁରୋ : ଆସନ୍ତା ୧୯ ତାରିଖରେ ପାଟକୁରାରେ ହେବ ତ ବିଧାନସଭା ନିର୍ବାଚନ ? ଏ ପ୍ରଶ୍ନ ଏଇଥି ପାଇଁ ଉଠୁଛି, କାରଣ ପାଟକୁରା ନିର୍ବାଚନ ଘୁଂଚାଇବା ନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନ ଘୁଂଚାଇବା ନେଇ ନବୀନ ଅନୁରୋଧ କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ପାଟକୁରା ନିର୍ବାଚନ ବନ୍ଦ କରିବାପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ତା ସହ ପାଟକୁରା ଆସି ନିର୍ବାଚନ ଲଢିବା ପାଇଁ ଆହ୍ୱାନ ଦେଇଛନ୍ତି ।

ପୁଣି ଆଶଙ୍କାରେ ପାଟକୁରା ନିର୍ବାଚନ ! ପାଟକୁରା ପାଇଁ ବାଧକ ସାଜିପାରେ ବାତ୍ୟା । ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସ୍ଥଗିତ ଥିବା ପାଟକୁରା ବିଧାନସଭା ନିର୍ବାଚନ ଉପରେ ପୁଣି ଦେଖା ଦେଇଛି ଆଶା-ଆଶଙ୍କାର ବାଦଲ । କାହିଁକି ନା’ ସମ୍ଭାବ୍ୟ ବାତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି ନିର୍ବାଚନକୁ ଘୁଂଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ଦ୍ଧାରିତ ତାରିଖ ବଦଳରେ ପରବର୍ତୀ ସମୟରେ ନିର୍ବାଚନ କରାଗଲେ ପ୍ରଶାସନକୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେବାରେ ସହାୟକ ହେବ ବୋଲି ନିର୍ବାଚନ କମିଶନଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଥିବା ଦିବଙ୍ଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପାଟକୁରା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଦାଖଲ କରିଛନ୍ତି ସାବିତ୍ରୀ ଅଗ୍ରୱାଲ ।

ସାବିତ୍ରୀଙ୍କ ମୁକାବିଲା ସିଧାସଳଖ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ ହେଉଥିବା ବେଳେ ପାଟକୁରା ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ । ପାଟକୁରା ନିର୍ବାଚନକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର । ଏହା ସହ ବାହାନା ଛାଡ଼ି ମୁଖ୍ୟମନ୍ତ୍ରୀ ନିଜେ ପାଟକୁରା ଆସି ନିର୍ବାଚନ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି ବିଜୟ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୧୯ ତାରିଖରେ ପାଟକୁରାରେ ନିର୍ବାଚନ ହେବାକୁ ଅଛି । ତେବେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଘୁଂଚାଇବା ନେଇ ଅନୁରୋଧ କରିବା ପରେ ଏବେ ଚୁଡାନ୍ତ ନିଷ୍ପତି ନେବେ ନିର୍ବାଚନ କମିଶନ ।