ପାଟକୁରା ନିର୍ବାଚନୀ ପାଇଁ ପ୍ରସ୍ତୁତି । ନାମାଙ୍କନ ପତ୍ର ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ, ମୈଦାନରେ ବିରୋଧୀ ପ୍ରସ୍ତୁତ ।

516

କନକ ବ୍ୟୁରୋ: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସାବିତ୍ରୀ । ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ ଆସନ୍ତା ୧୯ ତାରିଖକୁ ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚା ଯାଇଛି । ଜାତୀୟ ନିର୍ବାଚନ କମିଶନଙ୍କ ପୂର୍ବ ନିର୍ଦ୍ଧାରିତ ନିଷ୍ପତି ମୁୂତାବକ, ଆସନ୍ତାକାଲି ହେଉଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ । ଏପରି ସମୟରେ ସାବିତ୍ରୀ ଅଗ୍ରୱାଲଙ୍କୁ ମୁଖ୍ୟମନ୍ତ୍ରୀ ପାଟକୁରା ଟିକେଟ୍ ଦେବାର ୨୪ ଘଣ୍ଟା ଭିତରେ ନାମାଙ୍କନ ଭରିଛନ୍ତି ସାବିତ୍ରୀ । ଏବେ ସାବିତ୍ରୀଙ୍କ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୁପ୍ରିମୋଙ୍କ ଚୟନକୁ ସମ୍ନାନ ଜଣାଇ ସ୍ୱାମୀଙ୍କ ଗଡ଼ ବଞ୍ଚାଇ ରଖିବା ।

ସେପଟେ ପାଟକୁରା ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୪ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ନିର୍ଦ୍ଧାରିତ କରାଯାଇଛି । ସେହିପରି ଇସିଆଇଙ୍କ ନିଷ୍ପତି ଅନୁସାରେ ଆସନ୍ତା ୧୯ ତାରିଖରେ ପାଟକୁରାରେ ଭୋଟ୍ ପଡ଼ିବ । ତେଣୁ ଆଜି ବିଜେଡି ପ୍ରାର୍ଥୀ ତଥା ଦିଗଙ୍ଗତ ନେତା ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଉ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରହିଛନ୍ତି । ଗତକାଲି ବିଜେଡି ତାଙ୍କୁ ପ୍ରାର୍ଥୀ କରାଇବାକୁ ଘୋଷଣା କରିବା ପରେ ସାବିତ୍ରୀ କହିଥିଲେ, କି ପାଟକୁରାବାସୀଙ୍କ ପାଇଁ ମୋ ସ୍ୱାମୀ ରଖିଥିବା ଅଧୂରା ସ୍ୱପ୍ନକୁ ପୂରଣ କରିବି ।