କନକ ବ୍ୟୁରୋ: ପାଳିତ ହେଉଛି ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ । ମଞ୍ଚରେ ଉପସ୍ଥିତି ଅଛନ୍ତି ଭୁବନେଶ୍ୱର ମହାନଗର ନିଗମର ମେୟର, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ, ଏକାମ୍ର ବିଧାୟକଙ୍କ ସମେତ ଜଟଣୀ ବିଧାୟକ । ବାଚସ୍ପତି ବିକ୍ରମ ଆରୁଖ ଓ ମନ୍ତ୍ରୀ ପ୍ରଦୀପ ଅମାତ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଆୟୋଜକ କମିଟିର ଅନ୍ୟ ସଦସ୍ୟମାନେ ବି ମଞ୍ଚରେ ଉପସ୍ଥିତ ଅଛନ୍ତି । ଚାଲିଛି ପ୍ରତିଷ୍ଠା ଦିବସର ଉତ୍ସବ । ହେଲେ, ମଞ୍ଚରେ ନାହାନ୍ତି, ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ । ଡକାଯାଇନଥିବାରୁ ପ୍ରତିଷ୍ଠା ଦିବସରେ ଯୋଗ ଦେଇନାହାନ୍ତି ଅପରାଜିତ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅପରାଜିତା ।
ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନଡାକିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା ଷଡଙ୍ଗୀ । କହିଛନ୍ତି, ଯେଉଁ ଲୋକମାନେ ଭୋଟ ଦେଇ ତାଙ୍କୁ ସାଂସଦ ଭାବେ ନିର୍ବାଚିତ କରିଛନ୍ତି, ରାଜ୍ୟ ସରକାର ସେମାନଙ୍କୁ ଅପମାନିତ କରିଛନ୍ତି । ଏହା ରାଜ୍ୟ ସରକାର ବୁଝିବା କଥା । ସାମ୍ବିଧାନିକ ପଦବୀର ଅପମାନ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏବଂ ଆଗାମୀ ଦିନରେ ଆଇନର ସାହାଯ୍ୟ ନେବାକୁ ଚେତାବନୀ ଦେଇଛନ୍ତି । ତେବେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବିକାଶକୁ ସାଂସଦ ସ୍ୱାଗତ କରନ୍ତୁ । ସବୁଥିରେ ଦୋଷତ୍ରୁଟି ଖୋଜିବା କାମଳତାର ପରିଚୟ ।
ପ୍ରତିଷ୍ଠା ଦିବସକୁ ସାଂସଦଙ୍କୁ ନଡାକିବା ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆୟୋଜକ କମିଟି । କମିଟି ପକ୍ଷରୁ କୁହାଯାଇଛି, ସାଂସଦଙ୍କୁ ଡାକିବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ସାଂସଦଙ୍କୁ ଉଦେଶ୍ୟମୂଳକ ଭାବରେ ଡକାନଯିବା ଦୁର୍ଭାଗ୍ୟଜନକ । ଏଥିପାଇଁ କମିଟି ମେୟରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।
ଗତବର୍ଷ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସରେ, ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନଥିଲା । ଏନେଇ କ୍ଷୋଭ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଚିଠି ଲେଖିଥିଲେ । ଏ ହେଉଛି ସେହି ଚିଠି ଯେଉଁଥିରେ ସେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଆଉ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । କିନ୍ତୁ ଚଳିତ ବର୍ଷ ବି ତାଙ୍କୁ ଡକା ନଯିବାକୁ ସେ ସହଜରେ ଗ୍ରହଣ କରିପାରି ନାହାନ୍ତି ।