ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଅଧିକ ଘାତକ ସାଜୁଛି କି ‘କରୋନା’ ? ଜାଣନ୍ତୁ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଚୀନ ଡାକ୍ତର କହିଲେ କଣ?

2,573

କନକ ବ୍ୟୁରୋ: ପୂରା ବିଶ୍ୱକୁ ଥରହର କରି ରଖିଛି ମାରାତ୍ମକ କରୋନା ଭୁତାଣୁ । କ୍ରମାଗତ ଏହି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ତେବେ ଚୀନର ଉହାନ ସହରରୁ ଜନ୍ମ ନେଇଥିବା ଏହି ଭୟଙ୍କର ଭୁତାଣୁ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ଗ୍ରାସ କରିଚାଲିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବର୍ତ୍ତମାନ ଭୟ ଖେଳିଯାଇଛି । ଚିନ୍ତାର ବିଷୟ ହେଉଛି ଏହି ଭୟଙ୍କର ଭୁତାଣୁରୁ ବର୍ତ୍ତିବା ପାଇଁ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ବି ପ୍ରତିଷେଧକ ବା ଟୀକା ବାହାରି ପାରିନି । କେବଳ ସତର୍କତା ଏବଂ ସଚେତନତା ହିଁ ଏହାକୁ ରୋକିବାର ଏକମାତ୍ର ବିକଳ୍ପ । ଆଉ ଏହାରି ଭିତରେ ଜଣେ ଚୀନ ଡାକ୍ତରଙ୍କ ବୟାନ ଏବେ ଲୋକଙ୍କ ଚିନ୍ତା ବଢାଇଛି ।

ଚୀନର ଉହାନରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡା. ଡୁ ବିନଙ୍କ କହିବା ଅନୁସାରେ, ହାଇ ବ୍ଲଡ ପ୍ରେସର ତଥା ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଭାଇରସ ଅଧିକ ଘାତକ ସାଜିପାରେ । ଯଦିଓ ଏନେଇ ସେଭଳି କୌଣସି ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ , ତଥାପି ଅଧିକାଂଶ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ମାମଲାରେ ଏଭଳି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଚୀନ ଡାକ୍ତର କହିଛନ୍ତି । ସେ କହିଛନ୍ତି ଯେ, ହାଇ ବ୍ଲଡ ପ୍ରେସର ବା ଉଚ୍ଚ ରକ୍ତଚାପରେ ଶିକାର ଥିବା ଜଣେ ବ୍ୟକ୍ତି ଯେତେବେଳେ ଏହି ଭୟଙ୍କର ଭୁତାଣୁର ସଂସ୍ପର୍ଶରେ ଆସିଥାଏ, ସେତେବେଳେ ତାର ସ୍ୱାସ୍ଥ୍ୟବସ୍ଥା ବାକି ରୋଗୀଙ୍କ ତୁଳନାରେ ବେଶି ବିଗିଡିଯାଇଥାଏ । ଯାହା ଫଳରେ ତାର ମୃତ୍ୟୁ ଆଶଙ୍କା ବେଶି ରହିଥାଏ । ତେବେ ଏସଂକ୍ରାନ୍ତ ସେଭଳି କୌଣସି ସ୍ପଷ୍ଟ ତଥ୍ୟ ପ୍ରକାଶ ପାଇନଥିବା କହିଛନ୍ତି ଏହି ଚୀନ ଡାକ୍ତର ।

ଭାରତରେ ଏବେ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭ରେ ପହଁଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୯ ଜଣ ସଂକ୍ରମିତ ହୋଇଛନ୍ତି । ସେପଟେ ସାରା ବିଶ୍ୱରେ ୧ଲକ୍ଷ ୭୫ ହଜାର ୫୩୬ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୭ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନରେ ସର୍ବାଧିକ ୩୨୧୩ଜଣଙ୍କର ମୃତ୍ୟୁହୋଇଥିବାବେଳେ ଇଟାଲୀରେ ୨ହଜାର ୧୫୮ ଜଣଙ୍କର ମୃତ୍ୟୁ ହୋଇଛି ।