ଯୁଦ୍ଧ ଭୂମି ଗାଜାରୁ ଆସିଲା ବିକଳ ଚିତ୍ର । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଠପ୍ ପଡିଛି ସ୍ୱାସ୍ଥ୍ୟସେବା ।

92

କନକ ବ୍ୟୁରୋ: ୩୭ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ରୋଗୀ ଓ ଶରଣାର୍ଥୀଙ୍କୁ ଢ଼ାଲ କରି ଆତ୍ମରକ୍ଷା କରୁଥିବା ହମାସ ହସ୍ପିଟାଲକୁ ନିଜର ଆଡ୍ଡ ବନାଇଛି । ସେପଟେ ଆତଙ୍କୀଙ୍କୁ ନିପାତ କରିବାକୁ ଇସ୍ରାଏଲ ସେନା ସବୁ ମାନବିକତା ଭୁଲି ହସ୍ପିଟାଲ ଉପରେ ଘନଘନ ଆକ୍ରମଣ କରୁଛି । ସ୍ଥିତି ଏଭଳି ହେଲାଣି କି ମୋଟ ୩୭ରୁ ୨୦ଟି ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି । ମିଳୁନି ପାଣି, ବିଦ୍ୟୁତ । ପ୍ରତିକ୍ଷଣରେ ଯାଉଛି ଜୀବନ ।

ଯୁଦ୍ଧ ଛୁଇଁଛି ୩୭ଦିନରେ । ଏହା ସହ ମୃ୍ତ୍ୟୁ ସଂଖ୍ୟା ୧୩ହଜାର ଛୁଇଁଲାଣି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ସଂଖ୍ୟାରେ ରହିଛନ୍ତି ଶିଶୁ ଓ ମହିଳା । ସେପଟେ ଗାଜାର ହସ୍ପିଟାଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିିଛି । ସାରା ବିଶ୍ୱ ଏନେଇ ଚିନ୍ତା ପ୍ରକାଶ କରିବା ସହ ନିରୀହ ନାଗରିକଙ୍କୁ ହତ୍ୟା ନକରିବାକୁ ଇସ୍ରାଏଲକୁ ବାରମ୍ବାର ଅପିଲ କରୁଛନ୍ତି ।

ଯୁଦ୍ଧ କେମିତି ବନ୍ଦ ହେବ?କେମିତି ସମାଧାନର ବାଟ ବାହାରିବ? ଏନେଇ ସାରା ବିଶ୍ୱ ଚିନ୍ତା କରୁଥିବାବେଳେ ଅନ୍ୟପଟେ ଯୁଦ୍ଧକୁ ଉଗ୍ର କରୁଛନ୍ତି ଇସଲାମିକ ରାଷ୍ଟ୍ର । ଅର୍ନ୍ତଜାତୀୟ ଗଣମାଧ୍ୟମ ଦ ସନର ସୂଚନା ଅନୁସାରେ ଇରା ହମାସକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଆତଙ୍କୀକୁ ତାଲିମ ଦେଉଛି । ସେପଟେ ଲେବାନନର ବିଦ୍ରୋହୀ ସଂଗଠନ ହେଜବୁଲ୍ଲା ଇସ୍ରାଏଲ ସେନାକୁ ଟାର୍ଗେଟ କରି ରକେଟ ମାଡ କରୁଛି । ଏଥିସହ ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲା ଆମେରିକାକୁ ଚେତାବନୀ ଦେଇ କହିଛି ଯୁଦ୍ଧ ଚାଲିବା ଯାଏଁ ଇରାନ ଓ ଇରାକରେ ମୁତୟନ ଆମେରିକା ସେନା ଉପରେ ଆକ୍ରମଣ ଜାରି ରହିବ ।