ରୋଗୀଙ୍କ ଜଣାପଡ଼ୁନି ବ୍ଲଡ୍ ଗ୍ରୁପ୍ । ବେଡରେ ରୋଗୀ, ଅଟକି ରହିଛି ଚିକିତ୍ସା । ସମ୍ବଲପୁର ଭିମସାର’ରେ ବିରଳ ଘଟଣା

178

କନକ ବ୍ୟୁରୋ: ସମ୍ବଲପୁର ଭିମସାରରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ବ୍ଲଡ୍ ଗ୍ରୁପ୍ ଚିହ୍ନା ପଡୁନି । ଟେଷ୍ଟ ପରେ ବି ରୋଗୀଙ୍କ ବ୍ଲଡ୍ ଗ୍ରୁପ୍ ଜଣା ପଡୁନି । ଫଳରେ ତାଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବିଫଳ ହେଉଛନ୍ତି ଡାକ୍ତର । କୁହାଯାଉଛି ପ୍ରତି ୩୦ ଲକ୍ଷରେ ଜଣେ ବ୍ୟକ୍ତିଙ୍କ ଠାରେ ଏଭଳି ବିରଳ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ।

ହସ୍ପିଟାଲରେ ରୋଗୀ ଅଛନ୍ତି, ଶରୀରରେ ରୋଗ ଅଛି, ହେଲେ ରୋଗୀଙ୍କ ବ୍ଲଡ୍ ଗ୍ରୁପ୍ ଜଣାପଡ଼ୁନଥିବାରୁ ଅଟକି ରହିଛି ଚିକିତ୍ସା । ସମ୍ବଲପୁର ଭିମସାର’ରେ ଚିକିତ୍ସିତ ହେଉଥିବା ମହିଳାଙ୍କ ରକ୍ତନମୂନା କେଉଁ ବର୍ଗର ଜଣାପଡ଼ୁନି କିମ୍ବା କୌଣସି ବ୍ଲଡ୍ ଗ୍ରୁପ ସହ ମ୍ୟାଚ୍ କରୁନି । ସୂଚନା ଅନୁସାରେ- ପୂର୍ବରୁ ଏହି ମହିଳାଙ୍କ ବ୍ଲଡ୍ ଗ୍ରୁପ ବି-ପଜିଟିଭ୍ ଥିଲା । କିନ୍ତୁ ଏବେ ଯାଞ୍ଚ ବେଳେ କୌଣସି ଗ୍ରୁପ୍ ସହ ମେଳ ଖାଉନାହିଁ । ଅଟୋମିନ ଆମିନିଆ ରୋଗୀଙ୍କ କ୍ଷେତ୍ରରେ ଏଭଳି ଦେଖାଯାଉଥିବା କହିଛନ୍ତି ବରିଷ୍ଠ ଚିିକିତ୍ସା ।

ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ଏହି ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଅସ୍ଥିର ହେଉଥିବାବେଳେ ଚିକିତ୍ସା ଯୋଗାଇବା ସମ୍ଭବ ହେଉନାହିଁ । ତେବେ ଡାକ୍ତର କହିଛନ୍ତି- ଏହା ଭୀମସାରରେ ପ୍ରଥମ ଘଟଣା । ଆଗକୁ ପୁଣି ନିଜର ମୂଳ ରକ୍ତବର୍ଗକୁ ଫେରିବାର ଆଶା ରହିଛି ବୋଲି କହିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ପ୍ରାୟ ୩୦ ଲକ୍ଷ ଲୋକଙ୍କ ମଧ୍ୟରେ ଜଣଙ୍କ କ୍ଷେତ୍ରରେ ଏଭଳି ଦେଖାଯାଇଥାଏ ବୋଲି ଡାକ୍ତର କହିଛନ୍ତି । ଏଭଳି ସ୍ଥିତିରେ ରୋଗୀଙ୍କ ମୂଳ ବ୍ଲଡ୍ ଗ୍ରୁପକୁ ଫେରିଲେ କିମ୍ବା ରକ୍ତର ବର୍ଗ ଚିହ୍ନଟ ହେବା ପରେ ଚିକିତ୍ସା ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି ।