ଡାକ୍ତରଖାନାରେ ପଡିଛି ତାଲା, କ୍ୱାକ୍ ଭରସାରେ ରୋଗୀ । ସାପ୍ତାହିକ ହାଟ ଓ ଗାଁ ଗାଁ ବୁଲି ରୋଗୀଙ୍କ ଚିକିତ୍ସା କରୁଛନ୍ତି ନକଲି ଡାକ୍ତର

168

କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି କ୍ୱାକ୍ ବା ନକଲି ଡାକ୍ତରଙ୍କ ସଂଖ୍ୟା । ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବର ଫାଇଦା ଉଠାଇ ଆଦୀବାସୀଙ୍କୁ ଶୋଷଣ କରୁଛନ୍ତି ନକଲି ଡାକ୍ତର । ଏ ସର୍ମ୍ପକରେ ସ୍ୱାସ୍ଥ୍ୟ ବିଭାଗ ଜାଣି ଅଜଣା ବୋଲି କୁହନ୍ତି ଗଜପତି ଜିଲ୍ଲାର କିଛି ସଚେତନ ନାଗରିକ । ଅନ୍ୟ ଜଲ୍ଲାର ଘଟଣାକୁ ନଜରରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନକଲି ଡାକ୍ତରଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ ସୁଦ୍ଧା ଆରମ୍ଭ ହୋଇନି ଚିହ୍ନଟ ପ୍ରକିୟା ।

ଡାକ୍ତରି ପାଠ ପଢିନାହାନ୍ତି । କନ୍ତିୁ ଡାକ୍ତର ସାଜି ଗାଁ ଗାଁ ବୁଲି ରୋଗୀଙ୍କ ଚିକିତ୍ସା କରୁଛନ୍ତି । ବ୍ୟାଗରେ ସାଙ୍ଗରେ ସାଲାଇନ, ବିଭିନ୍ନ ପ୍ରକାର ଇଂଜେକ୍ସନ୍ ଓ ଔଷଧ ଧରି ଚିକିତ୍ସା କରୁଛନ୍ତି ନକଲି ଡାକ୍ତର । କୁନି କୁନି ଶିଶୁଙ୍କ ଠାରୁ ଆରମ୍ଭ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଚିକିତ୍ସା କରୁଛନ୍ତି ନକଲି ଡାକ୍ତର । ଏଭଳି ଘଟଣା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଲା ଘର ଘର ବୁଲି ରୋଗୀଙ୍କ ଚିକିତ୍ସା କରୁଥିବା କଥାକୁ ସ୍ୱୀକାର କରିଛନ୍ତି କ୍ୱିକ୍ ବା ନକଲି ଡାକ୍ତର ପି. ଶିବ ଶଙ୍କର ଆଚାରି ।
ଗୋଷାଣି ବ୍ଲକର ୫୦ରୁ ଅଧିକ ଗ୍ରାମବାସୀଙ୍କ ପାଇଁ ରହିଛି ଲାବନ୍ୟଗଡ ପ୍ରାଥମିକ ଚିକିତ୍ସା କେନ୍ଦ୍ର । କିନ୍ତୁ ଏଠାରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଅଧିକାଂଶ ସମୟରେ ଏମିତି ତାଲା ଝୁଲୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସକାଳ ୮ଟାରୁ ଖୋଲି ୧୦ଟାରେ ବନ୍ଦ ହୋଇଯାଉଛି । ତେଣୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି ।

 ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ଫାଇଭ୍-ଟି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କିନ୍ତୁ ଗଜପତି ଜିଲା୍ଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଯୋଗୁଁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ଆଦୌ ସୁଧାର ଆସୁନି ।