ପୁଣି ଚର୍ଚ୍ଚାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ । ଶବରୁ ଆଖି ଗାଏବ ହେବା ପରେ ଏବେ ବେଡରୁ ରୋଗୀ ନିଖୋଜ । ହେଲେ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଖବର

475

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଶବରୁ ଆଖି ଗାଏବ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ହସ୍ପିଟାଲ ବେଡରୁ ରୋଗୀ ନିଖୋଜ ହେବା ଖବର ସମସ୍ତଙ୍କୁ କରିଦେଇଛି ଚକିତ । ତେବେ ଚିକିତ୍ସାଳୟରେ ଏତେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଜଣେ ରୋଗୀ ମେଡିକାଲରୁ ନିଖୋଜ ହୋଇଗଲେ ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନୁଗୁଳ ଥାନା ଖଣ୍ଡହତା ଗାଁର ଟିଙ୍କାରୁ ନାଏକ(୨୦) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ରବିବାର ଦିନ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଶନିବାର ଅପରାହ୍ଣରେ ଟିଙ୍କାରୁଙ୍କ ଦେହ ଅସୁସ୍ଥ ହେବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କୁ ବେଡ ନ ମିଳିବାରୁ ସେ ସେହିଦିନ ପୁରୁଷ ୱାର୍ଡର ବାରଣ୍ଡାରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ରବିବାର ସକାଳୁ ସଫେଇ କର୍ମଚାରୀ ତାଙ୍କୁ ଏବଂ ତାଙ୍କ ମାଙ୍କୁ ସେଠାରୁ ଉଠିଯିବାକୁ କହିଥିଲେ । ଯେଉଁ କାରଣରୁ ଟିଙ୍କାରୁଙ୍କ ମା ତାଙ୍କୁ ସେଠାରେ ଛାଡି ବାହାରକୁ ଚାଲିଆସିଥିଲେ । ଆଉ ଏହି ସମୟରେ ହିଁ ଟିଙ୍କାରୁ ଚିକିତ୍ସାଳୟରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ତେବେ ପୁଅକୁ ନପାଇ ବୃଦ୍ଧା ଜଣକ ଉକ୍ତ ହସ୍ପିଟାଲ କର୍ମୀଙ୍କ ପଚାରିବାରୁ ସେ ତାଙ୍କୁ ବୁଝାଇବା ପରିବର୍ତ୍ତେ ଉତକ୍ଷିପ୍ତ ହୋଇଥିଲେ । ଏହାପରେ ସେ କାନ୍ଦି କାନ୍ଦି ପୁଅକୁ ଚାରି ଆଡେ ଖୋଜାଖୋଜି କରିଥିଲେ । ତେବେ ଚାରିଆଡେ ଖୋଜାଖୋଜି କରିବା ପରେ ଟିଙ୍କାରୁଙ୍କର କୌଣସି ପତ୍ତା ମିଳନଥିଲା ଶେଷରେ ଜିଲ୍ଲାପାଳ, ଥାନା ଏବଂ ମେଡିକାଲର ଡିଏମଓଙ୍କ ନିକଟରେ ଗୁହାରି କରିଛନ୍ତି ଟିଙ୍କାରୁଙ୍କ ଘର ଲୋକେ । ବଡ କଥା ହେଲା, ଏଭଳି ଘଟଣା ବାରମ୍ବାର ହେଉଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ବିଭିନ୍ନ ୱାର୍ଡର କର୍ମଚାରୀମାନେ ରୋଗୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।