ବଲାଙ୍ଗିର ମେଡିକାଲ କଲେଜରୁ ଆସିଲା ଅଭାବନୀୟ ଦୃଶ୍ୟ । ଅଲଟ୍ରା ସାଉଣ୍ଡ ପାଇଁ ଦିନକ ଆଗରୁ ଲାଗୁଛି ଲାଇନ୍।

85

କନକ ବ୍ୟୁରୋ: ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଅଲଟ୍ରାସାଉଣ୍ଡ ପାଇଁ ଆସୁଥିବା ରୋଗୀଙ୍କୁ ଦିନକ ଆଗରୁ ଦେବାକୁ ପଡ଼ୁଛି ଲମ୍ବା ଲାଇନ । ଅଲଟ୍ରାଉଣ୍ଡ କରିବାର ପୂର୍ବ ଦିନ ସଂନ୍ଧ୍ୟାରୁ ଲାଇନରେ ରହି ରାତି ତମାମ ମଶା ଓ ଗରମରେ ରୋଗୀଙ୍କ ସଂମ୍ପର୍କୀୟ ଅପେକ୍ଷା କରି ରହୁଛନ୍ତି । ଅଟ୍ରାସାଉଣ୍ଡ ପାଇଁ ଲାଇନରେ ଥିଲେ ମଧ୍ୟ ପର ଦିନ ବି ପଡ଼ୁନି ରୋଗୀଙ୍କ ନମ୍ବର । କାରଣ ଜଣେ ମାତ୍ର କର୍ମଚାରୀ ଥିବା ଯୋଗୁଁ କେବଳ ୪୦ ଜଣଙ୍କ ହିଁ ହେଉଛି ଅଲଟ୍ରାସାଉଣ୍ଡ । ଏଣୁ ବହୁ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ କିଛି ଅଲଟ୍ରାସାଉଣ୍ଡରେ ବିଳମ୍ବ ହେବାରୁ ଅବସ୍ଥା ଆହୁରି ଗମ୍ଭୀର ହୋଇପଡୁଛି ।

ବଲାଙ୍ଗିର ଭୀମ ଭୋଇ ମେଡିକାଲ ହେବା ପରେ ଜିଲ୍ଲାସହ ଆଖପାଖର ପ୍ରାୟ ୬ ଟି ଜିଲ୍ଲାର ଲୋକ ଭଲ ଚିକିତ୍ସା ପାଇବାର ଆଶା ରଖିଥିଲେ । ହେଲେ ଏବେ ମେଡିକାଲ କଲେଜ ହସ୍ପିଟାଲରେ କମ କର୍ମଚାରୀ ଥିବା ଯୋଗୁଁ ଅଧାରୁ ଅଧିକ କେସ ବାହାରକୁ ପଠାଇ ଦିଆଯାଉଛି । ଆଉ ଚିକିତ୍ସା ସେବା ପାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।