ମାତ୍ର ୩ଦିନରେ ୯୬ ହଜାର ଟଙ୍କା ବିଲ୍ । ହେଲେ ବଞ୍ଚିପାରିଲେନି ରୋଗୀ । ସଙ୍କଟ ବେଳେ ଏମିତି ଲୁଟୁଛନ୍ତି ବେସରକାରୀ ହସ୍ପିଟାଲ ?

221

କନକ ବ୍ୟୁରୋ : ୩ଦିନରେ ୯୬ ହଜାର ଟଙ୍କା ବିଲ୍ । ସଙ୍କଟ ବେଳେ ଲୁଟୁଛନ୍ତି ହସ୍ପିଟାଲ ? କୋଭିଡ୍ ଆକ୍ରାନ୍ତଙ୍କୁ ଲୁଟୁଛନ୍ତି ହସ୍ପିଟାଲ ! ମାତ୍ର ୩ଦିନରେ ୯୬ ହଜାର ଟଙ୍କାର ବିଲ୍, ହେଲେ ବଂଚିପାରିଲେନି ରୋଗୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଫେରସ୍ତ କଲେ ୫୦ ହଜାର ଟଙ୍କା । ମହାମାରୀ ବେଳେ ଏମିତି କିଛି ଖବର ଆସିଛି ଉତରପ୍ରଦେଶ ବରେଲୀରୁ । ଚିକିତ୍ସା ନାଁରେ ରୋଗୀଙ୍କ ଠାରୁ ହସ୍ପିଟାଲ ଗୁଡିକ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଅଭିଯୋଗ ଆସିଛି ।

ଉତରପ୍ରଦେଶର ବରେଲୀର ବିନାୟକ ହସ୍ପିଟାଲ, ମାତ୍ର ୩ଦିନରେ ଜଣେ ରୋଗୀଙ୍କ ଠାରୁ ୯୬ ହଜାର ଟଙ୍କା ବିଲ୍ ନେଇଛନ୍ତି । କିନ୍ତୁ ଦୁଃଖର ବିଷୟ ହେଉଛି, ଉକ୍ତ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ସାଂଘାତିକ ଅଭିଯୋଗର ଯାଂଚ କରି କାର୍ଯ୍ୟନୁଷ୍ଠାନ ନେବା ପରିବର୍ତ୍ତେ ରୋଗୀଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ଦେଇ ମାମଲାକୁ ରଫାଦଫା କରିଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ମୁକେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କର ଏହି ହସ୍ପିଟାଲରେ କରୋନାରେ ମୃତ୍ୟୁ ହୋଇଛି । ୩ଦିନ ଧରି ତାଙ୍କୁ ହସ୍ପିଟାଲର ଜେନେରାଲ ୱାର୍ଡରେ ରଖାଯାଇଥିଲା । ଏବଂ ଏହି ତିନି ଦିନରେ ତାଙ୍କ ଠାରୁ ୯୬ ହଜାର ଟଙ୍କା ବିଲ୍ ଆଦାୟ କରିଛି ହସ୍ପିଟାଲ । ତେବେ ଏହି ଖବରକୁ ନେଇ ଚର୍ଚ୍ଚା ବଢିବା ପରେ ଏବଂ ଗଣମାଧ୍ୟମରେ ପ୍ରସାରିତ ହେବା ପରେ, ଘଟଣାର ଯାଂଚ କରାଯିବ ବୋଲି କହିଛନ୍ତି ସିଏମଓ ।

ବରେଲୀ ସିଟି ରେଲୱେ ଷ୍ଟେସନ ସାମ୍ନାରେ ବିନାୟକ ହସ୍ପିଟାଲର ଆରମ୍ଭ ଗତବର୍ଷ କରୋନା କାଳରେ ହୋଇଥିଲା । ଆଉ ଆରମ୍ଭରୁ ହିଁ ଏହି ହସ୍ପିଟାଲ ନାଁ ରୋଗୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇଆସୁଛି । ଆଉ କିଛିଦିନ ହସ୍ପିଟାଲରେ ରୋଗୀଙ୍କ ଠାରୁ ମନଇଚ୍ଛା ବିଲ୍ ଆଦାୟ କରାଯାଉଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୁହାଯାଉଛି, ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଆପଣଙ୍କୁ ଏଠାରେ ବେଡ୍ ମିଳିବ ନାହିଁ । ଯଦି ଟଙ୍କା ଅଛି ତେବେ ଏଠାରେ ସବୁ ବ୍ୟବସ୍ଥା ହୋଇଯିବ ।