ହସ୍ପିଟାଲ୍ ଅଗଣାରେ ମରିଗଲା ମାନବିକତା । ଚିକିତ୍ସା ବାଟ ଚାହିଁ ଚାହିଁ ଚାଲିଗଲା ଜୀବନ । ଢ଼େଙ୍କାନାଳରୁ ଆସିଲା ଚିକିତ୍ସା ଅବହେଳାର ହୃଦୟ ବିଦାରକ ଚିତ୍ର, ସ୍ତ୍ରୀର ଆଖି ଆଗରେ ସ୍ୱାମୀର ମୃତ୍ୟୁ ।

1,623

କନକ ବ୍ୟୁରୋ : କୋଭିଡ୍ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି ଓ ତାଙ୍କ ପତ୍ନୀ ଛାତିରେ ହାତ ରଖି ଅତି ଅସହାୟ ଭାବରେ ପମ୍ପିଂ କରୁଛନ୍ତି । ରୋଗୀ ଜଣଙ୍କୁ ଚିକିତ୍ସା କରିବାକୁ ନେହୁରା ହେଉଛନ୍ତି । ହେଲେ ସହାୟତା କରିବାକୁ କେହି ଆସିଲେ ନାହିଁ । ଶେଷରେ ସେହିଠି ତାଙ୍କର ପ୍ରାଣବାୟୁ ଉଡିଗଲା ।

ୟାଠୁ ଭଳି ହୃଦୟ ବିଦାରକ ଘଟଣା ଆଉ କ’ଣ ଥାଇପାରେ । ହସ୍ପିଟାଲ ଅଗଣାରେ ଛଟପଟ ହେଉଥିବ ଜଣେ ରୋଗୀ, ଆଉ ଡାକ୍ତର ଆସୁନଥିବେ । ଏଭଳି ସ୍ଥିତିରେ ଜଣେ ଅସହାୟ ମହିଳା କ’ଣ ବା’ କରିଥାନ୍ତେ । ଛୋଟ ପିଲାଟିଏ ଭଳି ଭେଁ-ଭେଁ ହୋଇ କାନ୍ଦୁଛନ୍ତି । ଆଉ କୌଣସିି ଉପାୟ ନପାଇ ସ୍ୱାମୀର ଛାତିକୁ ଚାପି ରଖି, ଶ୍ୱାସକ୍ରିୟାକୁ ହୁଏତ ସ୍ୱାଭାବିକ କରିବାକୁ ଚାହୁଁଛନ୍ତି ।

ହସ୍ପିଟାଲ ଅଗଣାରେ ମରିଗଲା ମାନବିକତା । ଚିକିତ୍ସାର ବାଟ ଚାହିଁ ଚାହିଁ ଚାଲିଗଲା ଜୀବନ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଜଣେ ସରକାରୀ କର୍ମଚାରୀ, ଚିକିତ୍ସା ପାଇଁ ଢ଼େଙ୍କାନାଳ ହସ୍ପିଟାଲକୁ ଆସିଥିଲେ । ରୋଗୀଙ୍କ ମଧୁମେହ ଏବଂ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଥିଲା । ଆଉ ଯେତେବେଳେ ଏହି ବ୍ୟକ୍ତିଙ୍କ କୋଭିଡ୍ ଟେଷ୍ଟ କରାଗଲା, ରିପୋର୍ଟ ପଜିଟିଭ୍ ବାହାରିଲା । ଆଉ ରିପୋର୍ଟ ପାଇବା ପରେ ଅଚାନକ୍ ତଳେ ପଡ଼ିଯାଇଥିଲେ ଏହି ବ୍ୟକ୍ତି । ତଳେ ପଡ଼ି ଛଟପଟ ହେଲେ ସିନା, ପାଖକୁ କେହି ଆସିଲେ ନାହିଁ । ଆଉ ଶେଷରେ ଏହି ଭଳି ଦୟନୀୟ ଅବସ୍ଥାରେ ଆଖିବୁଜି ଦେଲେ ।

ଆଉ ପ୍ରଶ୍ନ ଉଠୁଛି, ଏଠି କିଏ ଅସହାୟ । ସ୍ୱାମୀଙ୍କ ଚିକିତ୍ସା ପାଇଁ ନେହୁରା ହେଉଥିବା ସ୍ତ୍ରୀ ନା ରୋଗୀ ପାଖରେ ପହଂଚିପାରୁନଥିବା ଡାକ୍ତର, ନା ସବୁ କିଛି ଦେଖି ଅଣଦେଖା କରୁଥିବା ଉପସ୍ଥିତ ଲୋକ । ନା’ ଏଭଳି ଏକ ଦାୟନୀୟ ଚିତ୍ର ଆପଣଙ୍କ ଆଗରେ ରଖିବାକୁ ବାଧ୍ୟ ହେଉଥିବା ଆମ ଭଳି ଗଣମାଧ୍ୟମ । ଅସହାୟତାର ନାଁ ଦେଇ ଆମେ ଖସି ଯାଇପାରୁ କିନ୍ତୁ ଇଏ ହେଉଛି ଅବହେଳାର ସଂଘାତିକ୍ ଚିତ୍ର ।