କନକ ବ୍ୟୁରୋ : ଉପାନ୍ତରୁ ପୁଣି ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର । ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ଗୁରୁତର ରୋଗୀଙ୍କୁ ଖଟିଆରେ ୨ କିଲୋମିଟର ବୋହିଲେ ପରିବାର ଲୋକେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦୁର୍ଗମ ଅଞ୍ଚଳ କୋରାପୁଟ ବୈପାରିଗୁଡ଼ାରୁ । ରାମଗିରି ପଞ୍ଚାୟତ ବାଘଝୋଲା ଗାଁକୁ ରାସ୍ତା ନଥିବାରୁ ପ୍ରତିଦିନ ସମସ୍ୟା ଭୋଗୁଛନ୍ତି ଲୋକେ ।

Advertisment

ଗାଁର ୮୦ ବର୍ଷୀୟ ଡମାଇ ପରିଜା ଅସୁସ୍ଥ ହେବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । କିନ୍ତୁ କାଦୁଅ ପଚପଚ ରାସ୍ତାରେ ଆସିପାରି ନଥିଲା ଆମ୍ବୁଲାନ୍ସ । ଗାଁଠାରୁ ୨ କିଲୋମିଟର ଦୂରରେ ଅଟକି ରହିଥିଲା । ପରେ ଡମାଇଙ୍କ ୪ ଜଣ ପୁଅ ଓ ନାତି ମିଶି ତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏ ନେଇଥିଲେ । ସେଠାରୁ ତାଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡମାଇ ମ୍ୟାଲେରିଆରେ ପୀଡ଼ିତ ହେବା ସହ ହିମୋଗ୍ଲୋବିନ କମ ଥିବାରୁ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବହୁ ବର୍ଷ ଧରି ଗାଁକୁ ରାସ୍ତା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଏବେ ଗାଁରେ କେହି ଅସୁସ୍ଥ ହେଲେ ଖଟିଆ ପାଲଟିଛି ରୋଗୀଙ୍କ ଶାହାଭରସା ।