ପଟିଆ ପିଏନବି ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ : ଲୁଟ୍ ପଛରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍; ଭାଇଜାଗରୁ ୨ ଲୁଟେରା ଗିରଫ

ବେଙ୍ଗାଲୁରୁରୁ ଚଳାଉଥିଲେ ରାକେଟ୍, ଗତମାସରେ ଏଟିଏମ୍ କାଟି ଲୁଟି ନେଇଥିଲେ ୨୭ ଲକ୍ଷରୁ ଅଧିକ ଟଙ୍କା

229

କନକ ବ୍ୟୁରୋ : ଭୁବନେଶ୍ୱରରେ ପଟିଆ ଛକରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମ ଲୁଟ୍ ଘଟଣାର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ । ଭାଇଜାଗରୁ ଧରାପଡିଛନ୍ତି ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ । ଗିରଫ ଦୁଇ ଲୁଟେରା ହେଉଛନ୍ତି ସମର ଜ୍ୟୋତ୍ ସିଂ ଏବଂ ଜାଫର ସାଦ୍ଦିକ୍ । ସମରଙ୍କ ଘର ପଂଜାବ, ଜାଫର ଘର କୋଲକାତାରେ । ଏମାନେ ବେଙ୍ଗାଲୁରୁରେ ରହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଚଳାଉଥିଲେ । ଗୋଟିଏ ସହରରେ ଲୁଟ୍ କରିବା ପରେ ଏମାନେ ବିମାନରେ ଘୁରି ବୁଲୁଥିଲେ ସହରରୁ ସହର ।

ସମାନ୍ ଢଙ୍ଗରେ ଭାଇଜାଗରେ ଲୁଟ୍ ବେଳେ ଧରାପଡିଛନ୍ତି ଆନ୍ଧ୍ର ପୋଲିସ ହାତରେ । ଆଗକୁ ଏହି ଦୁଇ ଲୁଟେରାଙ୍କୁ ଆନ୍ଧ୍ର ପୋଲିସ ଠାରୁ ଟ୍ରାଂଜିଟ୍ ରିମାଣ୍ଡରେ ଆଣି ଅଧିକ ଖୋଳତାଡ କରାଯିବ ବୋଲି କମିଶନରେଟ୍ ପୋଲିସ କହିଛି । ପଂଜାବ ପିଏନବି ଏଟିଏମରେ ଥିବା ସିସିଟିଭି, ସହରରେ ଥିବା ଅନ୍ୟ ସ୍ଥାନର ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ସିପି । ଗତ ମାସ ରେ ହୋଇଥିବା ଏହି ଏଟିଏମ୍ ଲୁଟରେ ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା ।