ଅଣସରରେ ମହାପ୍ରଭୁ : ପୂଜା ପାଇଲେ ପଟିଦିଅଁ; ପଟିଦିଅଁକୁ ଲାଗିହେବ ଛପନ ପଉଟି

135

କନକ ବ୍ୟୁରୋ : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ମହାପ୍ରଭୁ । ସେପଟେ ସଅଳ ନୀତିକାନ୍ତି ଯୋଗୁ ଆଜିଠାରୁ ୧୫ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଇଛନ୍ତି । ଏଥିପାଇଁ ଗୁରୁବାର ବିଳମ୍ବିତ ରାତିରେ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ।

ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ଗୁରୁବାର ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୮ଟାରେ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଥିଲା । ପରେ ରାତି ୯ଟାରୁ ତାଟିବନ୍ଧା ଆରମ୍ଭ ହୋଇଥିଲା। ରାତି ୧୨ଟା ସୁଦ୍ଧା ତାଟିବନ୍ଧା ଶେଷ ପରେ ଦଶାବତାର ଶ୍ରୀମନ୍ଦିରକୁ ବିଜେ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ରୂପରେ ଭୁବନେଶ୍ୱରୀ ବିଜେ କରିଥିଲେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ବିଜେ କରିଥିଲେ। ରାତି ଗୋଟାଏରେ ମହାସ୍ନାନ କରାଯାଇଥିଲା। ପରେ ବିଳମ୍ବିତ ରାତିରେ ମଇଲମ, ବେଶ, ମଧ୍ୟାହ୍ନଧୂପ, ଦକ୍ଷିଣୀଘର ଭୋଗ, ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହୋଇଛି ।

ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ରାତି ୪ଟାରେ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପଣାଭୋଗ ପରେ ଭୋର ୫ଟାରେ ବେହେରଣ ଦ୍ବାର ବନ୍ଦ ଓ ଜୟବିଜୟ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଅଣସରର ଗୁପ୍ତ ନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ। ଏହି ୧୫ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ହେବ। ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ ଆଦି ଲାଗି ହେବ। ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ହେବ।