କନକ ବ୍ୟୁରୋ: ଆଜିଠାରୁ ଜନପଥରେ ଆଉ ପଥ ଉତ୍ସବ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବିଡିଏ କର୍ତ୍ତୃପକ୍ଷ । ରାଜ୍ୟରେ ସାଧାରଣ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପଥ ଉତ୍ସବକୁ ବାତିଲ୍ କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ହକି ବିଶ୍ବକପ୍ ପାଇଁ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇଥିବା ପଥ ଉତ୍ସବ ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ବିଡିଏ କର୍ତ୍ତୃପକ୍ଷ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏପରିକି ପର୍ଯ୍ୟଟନ ବିଭାଗରୁ ଏନେଇ ଆଗୁଆ ୬୦ଲକ୍ଷ ଟଙ୍କା ବି ଆଣିଥିଲେ।
ଜାନୁଆରିରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ପଥ ଉତ୍ସବ ଆୟୋଜନ ପାଇଁ ସପ୍ତାହ ପିଛା ୩ଲକ୍ଷ ଟଙ୍କା ହିସାବରେ ୬୦ଲକ୍ଷ ଟଙ୍କା ଆଣିଥିଲେ। ହେଲେ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବା କହି କାର୍ଯ୍ୟକ୍ରମକୁ ବାତିଲ୍ କରିଦେଇଛନ୍ତି। ବିଡିଏ କର୍ତ୍ତୃପକ୍ଷ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ନିୟମ ଅନୁଯାୟୀ କୌଣସି ସରକାରୀ କାର୍ୟ୍ୟକ୍ରମ ଆୟୋଜନ ହେବନି। ତେଣୁ ପଥ ଉତ୍ସବ ବନ୍ଦ ହେଲା। ଆସନ୍ତା ଶୀତ ଋତୁରେ ପୁଣି ପଥ ଉତ୍ସବ ଆରମ୍ଭ ହେବ କି ନାହିଁ ସେନେଇ ଏବେ କିଛି ନିଷ୍ପତ୍ତି ନିଆଯାଇନି। କର୍ତ୍ତୃପକ୍ଷ ଚାହିଁଲେ ଆରମ୍ଭ ହେବ।
ଅପରପକ୍ଷେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ବିଏମସି ପଥ ଉତ୍ସବ ଆୟୋଜନ କରୁଥିଲା। କିନ୍ତୁ ହକି ବିଶ୍ବକପ୍ ସମୟରେ ଯେତେବେଳେ ଏହା ଆରମ୍ଭ ହେଲା ବିଡିଏ କର୍ତ୍ତୃପକ୍ଷ ସମସ୍ତ ଦାୟିତ୍ବ ନେଇଥିଲେ। ବିଡିଏ ଏନେଫାର୍ସମେଣ୍ଟ ମେମ୍ବରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। କିନ୍ତୁ ନିକଟରେ ତାଙ୍କର ବଦଳି ହୋଇଥିବାରୁ ଏବଂ ଏହି କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା କେତେକ ଅଧିକାରୀମାନଙ୍କର ବଦଳି ହୋଇଯାଇଥିବାରୁ ନୂଆ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ବିଏମସିରେ ବି ନୂଆ ଅଧିକାରୀମାନେ ଯୋଗ ଦେଇଛନ୍ତି।
ତେଣୁ କେହି ଆଗ୍ରହ ଦେଖାଉନଥିବାରୁ ଆସନ୍ତା ଆଜିଠାରୁ ପଥ ଉତ୍ସବ ହେବନି। ଏସବୁ ବାଦ୍ ପଥ ଉତ୍ସବ ଆୟୋଜନ ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବାବେଳେ ଏହି ସଂସ୍ଥାକୁ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦିଆଯାଉଥିବା ଅଭିଯୋଗ ଆସିଛି। ନିର୍ବାଚନ ସମୟରେ ପଥ ଉତ୍ସବ ଆୟୋଜନ ହେଲେ ବିରୋଧୀ ଏହାକୁ ପ୍ରସଙ୍ଗ କରିପାରନ୍ତି। ତେଣୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଆଳ କରି ଏହାକୁ ବନ୍ଦ କରିଦିଆଗଲା ବୋଲି ବିଡିଏର ଜଣେ ଅଧିକାରୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/maxresdefault-7.jpg)