ବାପାଙ୍କ ପରେ ମାଆ ବି ଚାଲିଗଲେ…ଶୈଶବରୁ ଅନାଥ ହୋଇଗଲେ ୪ ନିଷ୍ପାପ ଶିଶୁ…ମୁଣ୍ଡ ଗୁଂଜିବାକୁ ନାହିଁ ଘର ଖଣ୍ଡିଏ, ଅସହାୟ ଅବସ୍ଥାରେ ଘୂରି ବୁଲୁଛନ୍ତି ଗାଁ ଦାଣ୍ଡରେ

869

କନକ ବ୍ୟୁରୋ: ଦିନ ଥିଲା ସୁଖର ସଂସାର ଭିତର ଜୀବନ ଜିଉଁଥିଲେ ପୂରା ପରିବାର । ବାପାମାଆ ଯାହା କିଛି ରୋଜଗାର କରି ଆଣୁଥିଲେ ସେଥିରେ ବେଶ ହସ ଖୁସିରେ ଚଳିଯାଉଥିଲା ପୂରା ପରିବାର । କିନ୍ତୁ ହଠାତ୍ ବଦଳିଗଲା ଜୀବନ ଯାତ୍ରାର ମୋଡ । ଦୁଇ ବର୍ଷ ତଳେ ବାପାଙ୍କର ମୃତ୍ୟୁ ହେବା ପରେ ମାଆଙ୍କ ଉପରେ ଭରସା କରିଥିଲେ ଏହି ୪ କୁନି କୁନି ନିଷ୍ପାପ ଶିଶୁ । ହେଲେ ମାଆର ପଣତ କାନି ବି ଏମାନଙ୍କ ଉପରୁ ହଟିଗଲା । ଆଉ ଏବେ ବଂଚିବା ପାଇଁ ଜୀବନ ଯୁଦ୍ଧରେ ଏକାକୀ ସଂଘର୍ଷ କରୁଛନ୍ତି ଏହି ୪ ଅନାଥ ଭଉଣୀ ।

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ ଦଶମନ୍ତପୁର ପଂଚାୟତର ଜାମଯୋଡି ଗାଁରେ ରହୁଥିବା ଏହି ୪ ଶିଶୁଙ୍କ ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । ଏତେ ବଡ ଦୁନିଆରେ ପୂରା ଏକା ହୋଇପଡିଛନ୍ତି ଏମାନେ । ହେଲେ ଏତିକିରେ ସେମାନଙ୍କର ଦୁଃଖ ସରିନି ଯେଉଁ ଘର ଖଣ୍ଡିକରେ ମୁଣ୍ଡ ଗୁଂଜିଥିଲେ ସେ ବି ୬ ମାସ ତଳୁ ଭାଙ୍ଗିରୁଜି ନଷ୍ଟ ହୋଇ ପଡିଛି । ଏବେ କେଉଁଠି ରହିବେ, କଣ ଖାଇବେ ଜାଣିପାରୁନାହାନ୍ତି ଏହି ୪ କୁନି କୁନି ନିଷ୍ପାପ ଶିଶୁ । ୨ ବର୍ଷ ତଳେ ହଠାତ୍ ରୋଗରେ ପଡି ବାପା ବୁଧୁ ଖାଡାଙ୍କ ମୃତ୍ୟୁ ହେବା ପରେ ପରେ ପରିବାର ଚଳାଇବାର ଭାର ପଡିଥିଲା ସ୍ତ୍ରୀ ତୁଳସୀ ଓ ୧୦ ବର୍ଷର ଝିଅ ସୁଶିଳା ଉପରେ । କୁଲି କାମ କରି ବେଶ୍ ଦୁଃଖେ କଷ୍ଟେ ପରିବାର ଚଳାଇ ନେଉଥିଲେ ମାଆ-ଝିଅ ଦୁହେଁ ହେଲେ ଦଇବ ଦାଉ ସାଧିଲା ଭଳି ଗତ ୬ ତାରିଖରେ ରୋଗରେ ପଡି ମାଆ ବି ଆଖିବୁଜିଦେଲେ । ଆଉ ଏବେ ବଂଚିବା ପାଇଁ ଜୀବନ ଯୁଦ୍ଧରେ ଏକାକି ସଂଘର୍ଷ କରୁଛନ୍ତି ଏହି ୪ ଭଉଣୀ ।

ଘର ଖଣ୍ଡକ ଭାଙ୍ଗି ନଷ୍ଟ ହୋଇଯିବା ପରେ ଏବେ ସେମାନେ ପର ଘରେ ମୁଣ୍ଡ ଗୁଂଜିଛନ୍ତି । ହେଲେ ବିଡମ୍ବନାର ବିଷୟ ହେଲା କି ଭୂମିହୀନ ହୋଇ ବି ଏମାନଙ୍କର ନାଁ ଏଯାବତ ଯୋଗ୍ୟ ତାଲିକାରେ ସ୍ଥାନ ପାଇନି । ବଡ କଥା ହେଲା ୪ ଭଉଣୀଙ୍କ ଭିତରୁ କେହି ଜଣିଏ ହେଲେ ବି ଏଯାବତ୍ ସ୍କୁଲ ପିଣ୍ଡା ମାଡି ନାହାନ୍ତି । ଜନ୍ମରୁ ତ ଦୁଃଖ ଥିଲା ସତ ହେଲେ ସବୁ ସମସ୍ୟାକୁ ଟାଳି ନେଉଥିଲେ ବାପାମାଆ । ଆଉ ବାପାମାଆ ଚାଲିଗଲା ପରେ ଏବେ ଏହି ୪ ଅନାଥ ଭଉଣୀ ଅସହାୟ ଅବସ୍ଥାରେ ଘୂରି ବୁଲୁଛନ୍ତି ଗାାଁ ଦାଣ୍ଡରେ । ତେବେ ବାପାମାଆ ଛେଉଣ୍ଡ ଏହି ୪ ପିଲାଙ୍କ ମୁହଁରେ କିଏ ଦାନା ଦେବ ବୋଲି ପ୍ରଶ୍ନ ଉଠୁଥିବା ବେଳେ କେବେ ସହାୟତାର ହାତ ବଢ଼ାବେ ସରକାର ତାହା ଏବେ ଦେଖିବାକୁ ବାକି ରହିଲା ।