ରାଜଧାନୀ ରାଜରାସ୍ତାର ବିକଳ ଚିତ୍ର । ଏମିତି ଖାଲ ଯେ, ଗାଡି ଚଳାଇବାକୁ ଭୟ କରୁଛନ୍ତି ଗାଡି ଚାଳକ, ରାସ୍ତାକୁ ବାହାରିଲେ ଭଗବାନ ଭରସା ।

283

କନକ ବ୍ୟୁରୋ : ଦିନ କେଇଟା ପରେ ଦଶହରା ପୂଜା । ଆଉ ଏଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ଦୁର୍ଗା ମା’ଙ୍କ ପୂଜା ସହ ବଡ ବଡ ତୋରଣ ସାଙ୍ଗକୁ ସୁନା ଓ ଚାନ୍ଦିର ମେଢ ଦେଖିବାକୁ ସ୍ମାର୍ଟସିଟିରେ ଭକ୍ତଙ୍କର ଗହଳି ବଢିବ । ଯେଉଁଥିପାଇଁ ରାଜଧାନୀର ରାଜରାସ୍ତାରେ ଘଣ୍ଟା ଘଣ୍ଟା ଧରି ଜାମ ଲାଗି ରହିବ । କିନ୍ତୁ ଏହି ଭିଡ ଭିତରେ ଯଦି ଆପଣ ଟିକିଏ ଅନ୍ୟମନସ୍କ ହେବେ ତେବେ ରାଜଧାନୀର ମଝି ରାସ୍ତାରେ ଆଁ କରି ରହିଥିବା ମୃତ୍ୟୁର ଯନ୍ତାରେ ପଡିବାଟା ଏକପ୍ରକାର ଥୟ । କେବଳ ଯେ ଖଣ୍ଡିଆ ଖାବରା ହେବେ ତାହା ନୁହେଁ ଜୀବନ ଚାଲିଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । କାରଣ ରାଜଧାନୀର ମୁଖ୍ୟ ରାସ୍ତାର ଅବସ୍ଥା ଏମିତି ଯେ ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ । ଆଉ ରାଜଧାନୀ ରାଜରାସ୍ତାର ଏହି ବିକଳ ଚିତ୍ର କ୍ୟାମେରାରେ କଏଦ କରିଛି କନକ ଡିଜିଟାଲ୍ ଟିମ୍ ।

ଏ ହେଉଛି ଜୟଦେବବିହାର-ଆଚାର୍ଯ୍ୟବିହାର ମଝିରେ ଥିବା ଓଭରବ୍ରିଜ ରାସ୍ତାର ଚିତ୍ର । ଯେଉଁବାଟ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଗାଡି ଚଳାଚଳ କରୁଛି । କିନ୍ତୁ ରାସ୍ତା ମଝିରେ ଆଁ କରି ରହିଛି ବିରାଟ ଖାଲ । ଆଉ ଏହି ଖାଲକୁ ଲୁଚାଇବା ପାଇଁ କଣ୍ଟା ଭର୍ତ୍ତି ପଟା ଘୋଡା ଯାଇଛି । ଯଦି ଅନ୍ୟମନସ୍କରେ କେହି ଏହି ପଟା ଉପରେ ଗାଡି ଚଢାଇ ନିଏ, ତେବେ ଗାଡି ପମ୍ପଚର ହେବା ସହ ବଡ ଦୁର୍ଘଟଣାର ମଧ୍ୟ ଆଶଙ୍କା ରହିଛି । ସେହିଭଳି ବ୍ୟସ୍ତବହୁଳ ବାଣୀବିହାର ଛକରେ ମଧ୍ୟ ସମାନ ଅବସ୍ଥା । ଖାଲ ନୁହେଁ ତ ରାସ୍ତା ଏ ପାରିରୁ ସେପାରିକୁ ମୃତ୍ୟୁର ଲମ୍ବା ଗାର ଟଣା ହୋଇଛି ।

ଅନ୍ୟପଟେ ରସୁଲଗଡ ଛକ କଥା ନକହିବା ଭଲ । ରାସ୍ତା ନୁହେଁ ତ ମରଣ ଯନ୍ତା । ଏହା କେବଳ ବର୍ଷା ଦିନର କଥା ନୁହେଁ ବର୍ଷ ବର୍ଷ ଧରି ରାସ୍ତାର ଏଭଳି ଅବସ୍ଥା । ରାସ୍ତା ମଝିରେ ଏତେ ବଡ ଖାଲ ରହିଛି ଯେ, ଟିକିଏ ବର୍ଷା ହେଲେ ଏହା ପୋଖରୀର ଭ୍ରମ ସୃ୍ଷ୍ଟି କରୁଛି । ଯେଉଁଠି ଚାରି ଚକିଆ ଗାଡିକୁ ଏହି ରାସ୍ତା ପାର କରିବା ପାଇଁ ନାକେଦମ ହେବାକୁ ପଡୁଛି ସେଠାରେ ରାସ୍ତା ପାର ହେବାକୁ ବାଇକ ଚାଳକଙ୍କୁ କାଦୁଅ ପାଣିର ଛିଟାରେ ଗାଧୋଇବାକୁ ପଡୁଛି । ଏହାଛଡା ଯିଏ ବିନା ବାଧାରେ ଏହି ରାସ୍ତା ପାର କରୁଛି ସିଏ ଭଗବାନଙ୍କୁ ଧନ୍ୟବାଦ ଦେଇ ଏହି ପ୍ରାଣଘାତୀ ରାସ୍ତାରେ ଆଉ କେବେ ନ ଯିବାକୁ ପଣ କରୁଛି ।

ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି, ଯେଉଁ ରାସ୍ତା ଉପରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଗାଡି ଚାଳକଙ୍କୁ ହଜାର ହଜାର ଟଙ୍କା ଜରିମାନା ଦେବାକୁ ପଡୁଛି, ଯଦି ସେହି ଖାଲୁଆ ରାସ୍ତାରେ ଗାଡି ଚାଳକଟିଏ ପଡି ଲହୁଲୁହାଣ ହେଉଛି ତେବେ ଏଥିପାଇଁ ସରକାରଙ୍କୁ କେତେ ଟଙ୍କାର ଜରିମାନା ଦେବାକୁ ପଡିବ ।