ଭାଇର ଶବକୁ ବୋହିନେଲା ଭାଇ । କରୋନାରେ ମୃତ୍ୟୁ ପରେ ସଂକ୍ରମଣ ଭୟରେ ପାଖକୁ ଆସିଲେନି କେହି, ମୁହଁ ମୋଡିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ, ସହାୟତାର ହାତ ବଢାଇଲେ ଅଜଣା ଯୁବକ ।

236

କନକ ବ୍ୟୁରୋ : ଭାଇର ଶବକୁ ବୋହିନେଲା ଭାଇ । କରୋନା ମହାମାରୀ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଏମିତି ବିଚଳିତ କଲାଭଳି ଚିତ୍ର ସବୁ ଆସିବାରେ ଲାଗିଛି । ପୁଣି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଓ ଦୁଃଖଦ ଚିତ୍ର । ସାନ ଭାଇର ମୃତଦେହକୁ ଉଠାଇ ମହାପ୍ରୟାଣ ଗାଡିରେ ରଖିବା ପାଇଁ କେହି ସହାୟତା କଲେନାହିଁ । ଏପରିକି ମେଡିକାଲ କର୍ତୃପକ୍ଷ ବି ମୁହଁ ମୋଡିଦେଇ ଚାଲିଗଲେ । କେବଳ ମେଡିକାଲ ବେଡରୁ ମୃତଦେହକୁ ଷ୍ଟ୍ରେଚରରେ ରଖିବାରେ ସହାୟତା କରିଥିଲେ ଜଣେ କର୍ମଚାରୀ । ଏହାପରେ ସେ କେଉଁଆଡେ ଚାଲିଗଲେ ।

ବଡଭାଇ ଏକା ଷ୍ଟ୍ରେଚରକୁ ଠେଲିଠେଲି ମହାପ୍ରୟାଣ ଗାଡିଯାଏଁ ଆଣିଥିଲେ ବି ଏକା ଶବକୁ ଉଠାଇ ଗାଡିରେ ରଖିବାକୁ ସକ୍ଷମ ହୋଇନଥିଲେ । ଦୀର୍ଘ ସମୟ ଚେଷ୍ଟା କରି ବିଫଳ ହେବାପରେ ପାଖ ଦେଇ ଯାଉଥିବା ଦୁଇ ଅଜଣା ବ୍ୟକ୍ତିଙ୍କୁ ସହାୟତା ପାଇଁ ସେ ନେହୁରା ହୋଇଥିଲେ । ପରେ ସେହି ଅଜଣା ବ୍ୟକ୍ତିଙ୍କ ସହାୟତାରେ ସାନ ଭାଇର ଶବକୁ ଧରି ମହାପ୍ରୟାଣ ଗାଡିରେ ନେଇ ଖାତିଗୁଡାରେ ପହଂଚିଥିଲେ ।

ନବରଙ୍ଗପୁର ଖାତିଗୁଡା ଗାଁର ୨୪ ବର୍ଷୀୟ ଯୁବକ ରବିନାରାୟଣ ଆଚାର୍ଯ୍ୟ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତେନ୍ତୁଳିଖୁଂଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୂର୍ବରୁ ଗତ ଏପ୍ରିଲ ୨୭ ତାରିଖରେ ବାପା ବିରଂଚି ନାରାୟଣ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ପୁଅର ବିୟୋଗରେ ଭାଙ୍ଗିପଡି ତାଙ୍କ ବାପା ଦୁଃଖିଶ୍ୟାମଙ୍କର ମଧ୍ୟ ଗତ ୨ ତାରିଖରେ ପ୍ରାଣବାୟୁ ଉଡିଯାଇଥିଲା । କିଛିଦିନର ବ୍ୟବଧାନରେ ଗୋଟିଏ ପରିବାରର ତିନି ପୀଢିର ପରଲୋକ ପୂରା ପରିବାକୁ ଦୋହଲାଇ ଦେଇଛି ।