କନକ ବ୍ୟୁରୋ : ନୂଆ ଆଳୁ ଅମଳ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନି ମଧ୍ୟ କିଛି କମ୍ ନାହିଁ। ପୁରୁଣା ଆଳୁ ମଧ୍ୟ ଯଥେଷ୍ଟ ମହଜୁଦ୍ ରହିଛି। ତଥାପି ଆଳୁ ଦର କମିବା ନାଁ ଧରୁନାହିଁ। ପ୍ରାୟ ୩ ସପ୍ତାହ ହେଲା ପ୍ରଚୁର ନୂଆ ଆଳୁ ଅମଳ ହେଉଥିବା ଓ ବଜାରକୁ ଆସୁଥିବା ସତ୍ତ୍ବେ ଆଳୁ ଦର ୩୦ ତଳକୁ ଖସୁ ନାହିଁ। ଏହା ଏବେ ବି ରହସ୍ୟ ବୋଲି ବ୍ୟବସାୟୀମାନେ କହିଛନ୍ତି। କିଛି ବଡ଼ ବଡ଼ ବ୍ୟବସାୟୀଙ୍କ ଷଡ଼୍ଯନ୍ତ୍ର ପାଇଁ ଏଭଳି ହେଉଥିବା ସେମାନେ ସନ୍ଦେହ କରୁଛନ୍ତି। ତେଣୁ ସରକାର ଇଚ୍ଛା ନ କଲେ, ଏହି ରହସ୍ୟ ଭେଦ କରିବା ବା ଷଡ଼୍ଯନ୍ତ୍ର ପଛର ଖଳନାୟକ କିଏ, ତାହା ଖୋଜି ବାହାର କରିବା କାଠିକର ପାଠ ବୋଲି ବ୍ୟବସାୟୀମହଲରୁ ସୂଚନା ମିଳିଛି। ସେହିଭଳି ପାଇକାରୀ ଦର ୩୫ଟଙ୍କାକୁ ଖସି ଆସିଥିବା ପିଆଜ ଦର ପୁଣି ବଢ଼ି ବଢ଼ି ୪୦/୪୨ ଟଙ୍କାରେ ପହଞ୍ଚିଲାଣି। ତେଣୁ ରୀତିମତ ଖାଉଟିମାନଙ୍କୁ ଶୋଷଣ କରିବା ପାଇଁ ଏକ ବଡ଼ ଧରଣର ଖେଳ ଚାଲିଛି ବୋଲି ଅଭିଯୋଗ ହେଉଛି। ସରକାରଙ୍କ ଉଦାସୀନତା ବଡ଼ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ଅଭିଯୋଗ ହେଉଛି।
ମିଳିଥିବା ସୂଚନାନୁସାରେ, ପ୍ରାୟ ୫୦୦ ଟନ୍ରୁ ଅଧିକ ଆଳୁ ଆମଦାନି ହୋଇଛି। ଏହା ସ୍ବାଭାବିକ ଆମଦାନି। ମାତ୍ର ଦର କମିନାହିଁ। ପୁରୁଣା ଓ ନୂଆ ଆଳୁର ପାଇକାରୀ ଦର ଯଥାକ୍ରମେ ୨୫ ଓ ୨୦ ଟଙ୍କା ରହିଛି। ପ୍ରାୟ ୩ ସପ୍ତାହ ହେଲା ଏହି ଦର ସ୍ଥିର ରହିଛି। ଡିସେମ୍ବରରେ ହୋଇଥିବା ବର୍ଷା ପାଇଁ ପଶ୍ଚିମବଙ୍ଗରେ ଆଳୁ ଅମଳ ବିଳମ୍ବ ହୋଇଥିଲା। ତେଣୁ ଜାନୁଆରି ପ୍ରଥମ ସପ୍ତାହ ପରେ ଅମଳ ବୃଦ୍ଧି ପାଇବ ଓ ନୂଆ ଆଳୁ ବଜାରକୁ ଆସିବା ମାତ୍ରେ ଦର ସ୍ବତଃ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ନୂଆ ଆଳୁ ବଜାରକୁ ଆସିବା ସତ୍ତ୍ବେ ଦର ସେମିତି ଅପରିବର୍ତ୍ତିତ ରହିଛି। କୁବେରପୁରୀର କିଛି ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଚଳିତ ବର୍ଷର ଆଳୁ ବଜାରକୁ ସେମାନେ ଆକଳନ କରି ପାରୁନାହାନ୍ତି। ଏମିତି କେବେ ହୋଇ ନ ଥିଲା। ଅମଳ କମିନି, ଅଥଚ ଦର କମୁନାହିଁ।
ଏହାର କାରଣ ସେମାନେ ବୁଝି ପାରୁନାହାନ୍ତି। ସେମାନଙ୍କ କହିବା କଥା, ଏବେ ପଶ୍ଚିମବଙ୍ଗରେ ବି ଆଳୁ ଦର ୨୫ ଟଙ୍କାରୁ କମ୍ ନାହିଁ। ତେଣୁ ଅନୁମାନ କରାଯାଉଛି, ଚଳିତ ବର୍ଷ କିଛି ବଡ଼ ବ୍ୟବସାୟୀ ଏବେଠୁ ଆଳୁ ମହଜୁଦ୍ କରିବା ଆରମ୍ଭ କରିଛନ୍ତି। ଆଉ କିଛି ବ୍ୟବସାୟୀଙ୍କ କହିବା କଥା, ଚଳିତବର୍ଷ ପଶ୍ଚିମବଙ୍ଗ ଚାଷୀମାନେ ଜାଣିଶୁଣି ଧୀମା ଅମଳ କରୁଛନ୍ତି ଓ ଅଧିକ ଦରରେ ବିକ୍ରି କରୁଛନ୍ତି। ତେବେ କୋଲକାତା ବ୍ୟବସାୟୀଙ୍କ ସୂଚନାନୁସାରେ, ଚଳିତବର୍ଷ ପୋଖରାଜ ଆଳୁ ଅମଳ କମିଛି। ଜ୍ୟୋତି ଓ ଚନ୍ଦ୍ରମୁଖୀ ଆଳୁ ଅମଳ ବିଳମ୍ବ ହୋଇଛି। ନୂଆ ଜ୍ୟୋତି ଆଳୁ ଅମଳ ଆରମ୍ଭ ହୋଇନାହିଁ। ବଡ଼ କଥା ହେଉଛି, ଏବେ ପଶ୍ଚିମବଙ୍ଗର ବଙ୍କୁରା ଓ ପୁରୁଲିଆ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାମାନଙ୍କରେ ନୂଆ ଆଳୁ ଅମଳ ଆରମ୍ଭ କରାଯାଇନାହିଁ। ବର୍ଦ୍ଧମାନ ଓ ହୁଗୁଳି ଭଳି ଜିଲ୍ଲାରୁ ଫେବ୍ରୁଆରି ପ୍ରଥମ ସପ୍ତାହରେ ଆଳୁ ବଜାରକୁ ଆସିବ। ତେଣୁ ସେତେବେଳ ପର୍ଯ୍ୟନ୍ତ ଆଳୁ ଦର ୩୦ ଟଙ୍କା ରହିବ। ସେମାନଙ୍କ କହିବା କଥା, ଏବେ ବି ପଶ୍ଚିମବଙ୍ଗର ବହୁ ବଜାରରେ ଆଳୁର ଖୁଚୁରା ଦର ୩୦ଟଙ୍କା ରହିଛି। ତେଣୁ ବଙ୍ଗ ବେପାରୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ଯେ ଚଳିତବର୍ଷ ପିଆଜ ଭଳି ଆଳୁ ମଧ୍ୟ ଖାଉଟିଙ୍କୁ କନ୍ଦାଇବା ସାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/AALU.jpg)