ମିଥ୍ୟା ବିଜ୍ଞାପନ ମାମଲାରେ ବାବା ରାମଦେବଙ୍କ ପାଇଁ ବଢିଲା ଅଡୁଆ । ଆଜି ବି କୋର୍ଟରେ ଖାରଜ ହେଲା କ୍ଷମା ପ୍ରାର୍ଥନା

283

କନକ ବ୍ୟୁରୋ : ମିଥ୍ୟା ବିଜ୍ଞାପନ ମାମଲାରେ ପତଞ୍ଜଳୀ କମ୍ପାନୀ ମୁଖ୍ୟ ବାବା ରାମଦେବଙ୍କ ଅଡୁଆ ବଢିବାରେ ଲାଗିଛି । ଯୋଗଗୁରୁ ବାବା ରାମଦେବଙ୍କ ତରଫରୁ ଦ୍ୱିତୀୟ ଥର ପାଇଁ କୋର୍ଟରେ କରାଯାଇଥିବା କ୍ଷମା ପ୍ରାର୍ଥନା ଖାରଜ ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୩ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ବାଲକ୍ରୀଷ୍ଣ ଆଜି କୋର୍ଟରେ ଉପସ୍ଥିତ ରହିଥିଲେ ।

ମିଥ୍ୟା ବିଜ୍ଞାପନ ଓ କରୋନା ସମୟରେ ମିଥ୍ୟା ଔଷଧକୁ ନେଇ ପତଞ୍ଜଳୀ ଆୟୁର୍ବେଦ ଉପରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଏବେ କୋର୍ଟରେ ଚାଲିଛି । ଏନେଇ ରାମଦେବଙ୍କ ଉପରେ କୋର୍ଟ କଟାକ୍ଷ କରିବା ପରେ ବାବା ରାମଦେବଙ୍କ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ପ୍ରଥମ କ୍ଷମା ପ୍ରାର୍ଥନା କୋର୍ଟଙ୍କ ତରଫରୁ ଖାରଜ ହୋଇଯାଇଥିବା ବେଳେ ଦ୍ୱିତୀୟ କ୍ଷମା ପ୍ରାର୍ଥନା ମଧ୍ୟ କୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏନେଇ ଶୁଣାଣି ବେଳେ ଜଷ୍ଟିସ ହିମା କୋହଲୀ ରାମଦେବଙ୍କୁ ପଚାରିଥିଲେ କି, ଯେଭଳି ସଂଗୀନ ଅପରାଧ ଆପଣ କରିଛନ୍ତି ଆପଣ ଭାବୁଛନ୍ତି କି, ତାହା ଉପରେ ଆପଣଙ୍କୁ କ୍ଷମା ମିଳିବା ଉଚିତ୍ । ଏହାସହ ସମ୍ବାଦିକ ସମ୍ମିଳନୀ କରି ବାବା ରାମଦେବ କରୋନା ନିରୋଧୀ କରୋନିଲ ଔଷଧର ପ୍ରଚାର କରିଥିବାରୁ କୋର୍ଟ ଆଜି ରାମଦେବଙ୍କ ଉପରେ ବର୍ଷିଛନ୍ତି ।

କହିରଖୁ କି କରୋନିଲ ଔଷଧର ପ୍ରଚାର ବେଳେ ବାବା ରାମଦେବ ଇଣ୍ଡିଆନ ମେଡିକାଲ ଆସୋସିଏସନକୁ କଟାକ୍ଷ କରିଥିଲେ । ସେ କହିଥିଲେ କି, ଇଣ୍ଡିଆନ ମେଡିକାଲ ଆସୋସିଏସନ ସମାଚାର ପତ୍ର ମାଧ୍ୟମରେ ଏଲୋପାଥୀକୁ ନେଇ ଭ୍ରମ ସୃଷ୍ଟି କରୁଛି । ଫାର୍ମା ଓ ମେଡିକାଲ ଉଦ୍ୟୋଗ ଦ୍ୱାରା ଭୁଲ ଧାରଣା ଲୋକମାନଙ୍କ ପାଖରେ ପହଂଚାଉଛି । ଏହି ଭ୍ରମ ଧାରଣାରୁ ଆପଣ ନିଜେ ଓ ଆପଣ ଦେଶକୁ ବଞ୍ଚାନ୍ତୁ ବୋଲି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ତରଫରୁ କୋର୍ଟରେ ଅଭିଯୋଗ କରାଯାଇଥିଲା ।