ରାମଦେବଙ୍କ ପାଇଁ ବଢୁଛି ଅଡୁଆ : ରାଜସ୍ଥାନ ପରେ ମହାରାଷ୍ଟରେ ବି କରୋନିଲ ବ୍ୟାନ, ଆୟୁଷ ମନ୍ତ୍ରଣାଳୟ ବି କରିସାରିଛି ଆପତ୍ତି; ମଙ୍ଗଳବାରଦିନ କରୋନାର ଫଳପ୍ରଦ ଔଷଧ କରୋନିଲ ବୋଲି ଦାବି କରିଥିଲା ପତଞ୍ଜଳି

4,885

କନକ ବ୍ୟୁରୋ : ପତଞ୍ଜଳିର କରୋନିଲ ଔଷଧ ନେଇ ବିବାଦ ବଢିବାରେ ଲାଗିଛି । ରାଜସ୍ଥାନ ପରେ ମହାରାଷ୍ଟ୍ର ମଧ୍ୟ ଔଷଧ ଉପରେ ବ୍ୟାନ ଲଗାଇଛି । ରାଜ୍ୟର ଗୃହମନ୍ତ୍ରୀ କହିଛନ୍ତି, କରୋନିଲର କ୍ଲିନିକାଲ ଟ୍ରାଏଲ ନେଇ କିଛି ବି ପ୍ରମାଣ ନଥିବାରୁ ମହାରାଷ୍ଟ୍ରରେ କରୋନିଲ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ମଙ୍ଗଳବାରଦିନ ବାବ ରାମଦେବ ଦାବି କରିଥିଲେ, କରୋନାର ଉପଚାରରେ ଆୟୁର୍ବେଦ ଔଷଦ କରୋନିଲ ଫଳପ୍ରଦ ହେବ ।  ଏହାପରେ ଔଷଧ ବିକ୍ରି ନେଇ ଆପତ୍ତି କରିଥିଲା ଆୟୁଷ ମନ୍ତ୍ରଣାଳୟ । ଏହାର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ସହ ଯାଂଚ ପାଇଁ ବି ନିର୍ଦ୍ଦେଶ ଦେଇଥିଲା ମନ୍ତ୍ରଣାଳୟ । ପୂର୍ବରୁ ରାଜସ୍ଥାନ ଏହି ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ବି ଲଗାଇସାରିଛି ।

ରାଜସ୍ଥାନ ସରକାର କହିଥିଲେ, ଆୟୁଷ ମନ୍ତ୍ରଣାଳୟର ବିନା ଅନୁମତିରେ କୌଣସି ଆୟୁର୍ବେଦ ଔଷଧକୁ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ଏପରିକି ଏଭଳି ବିକ୍ରି ହେଲେ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ଥାନ ସରକାର କରିଥିଲେ । ଉତ୍ତରାଖଣ୍ଡର ଆୟୁର୍ବେଦ ବିଭାଗ ବି ପତଞ୍ଜଳିର ଦାବିକୁ ଭୁଲ ବୋଲି କହିସାରିଛି ।