କନକ ବ୍ୟୁରୋ: କୋଟିଆରେ ପ୍ରଶଂସାମୂଳକ କାମ କରିଛନ୍ତି ପଟାଙ୍ଗୀ ବିଡିଓ । ଧୂଳିପଦର ଓ ଅନ୍ୟ କିଛି ସୀମାନ୍ତ ଗାଁରେ ସବୁ ତେଲୁଗୁ ଫଳକ ହଟାଇ ଓଡ଼ିଆରେ ଲେଖା ଫଳକ ଲଗାଇଛନ୍ତି । ଏହି ସମୟରେ ଆନ୍ଧ୍ର ଅଧିକାରୀମାନେ ସେଠାରେ ପହଞ୍ଚିି ବିଡିଓଙ୍କୁ ବାଧା ଦେଇଥିଲେ ଏବଂ ଏଭଳି ନକରିବା ପାଇଁ କହିଥିଲେ । କିନ୍ତୁ ଦଳବଳ ଧରି ଯାଇଥିବା ବିଡିଓ ସବୁ ସୀମାନ୍ତ ଗାଁରେ ଓଡ଼ିଆରେ ଲେଖା ନାମଫଳକ ଲଗାଇ ଫେରିଥିଲେ ।

Advertisment

ପଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ର ଯେତେବେଳେ ଦଳବଳ ଧରି କୋଟିଆର ଧୂଳିପଦର ଗାଁରେ ତେଲଗୁ ଫଳକ ହଟାଇବା ଆରମ୍ଭ କଲେ, ସେତେବେଳେ ଆନ୍ଧ୍ର ଅଧିକାରୀମାନେ ପହଞ୍ଚିି ଯାଇଥିଲେ, ଏବଂ ପଟାଙ୍ଗୀ ବିଡିଓଙ୍କୁ ଏସବୁ କାମ ବନ୍ଦ କରିବାକୁ ଧମକ ଦେଇଥିଲେ । କିନ୍ତୁ ବିଡିଓ ସୌମ୍ୟସାର୍ଥକ ସେମାନଙ୍କ ଧମକକୁ ଖାତିର କରି ନଥିଲେ । ସେ ଆଗରୁ ଜାଣିଥିଲେ ଯେ, ଆନ୍ଧ୍ର ପକ୍ଷରୁ ଏଭଳି ବିରୋଧ କରାଯାଇ ପାରେ । ସେଥିପାଇଁ ପୁଲିସ୍ ଫୋର୍ସ ଧରି ସେ ପ୍ରସ୍ତୁତ ଥିଲେ ଏବଂ ଜବରଦସ୍ତ ସବୁ ତେଲଗୁ ନାମଫଳକ ହଟାଇ ଓଡ଼ିଆ ଫଳକ ଲଗାଇଥିଲେ ।

ଆନ୍ଧ୍ର ଅଧିକାରୀମାନେ ବିଡିଓଙ୍କୁ କହିଥିଲେ, ଏହି ସ୍ଥାନ ଆନ୍ଧ୍ରର, ତେଣୁ ଓଡ଼ିଶା ପ୍ରଶାସନର କୌଣସି ଅଧିକାର ନାହିଁ । କିନ୍ତୁ ବିଡିଓ ଉତ୍ତର ଦେଇଥିଲେ ଯେ, ଏହା ଓଡ଼ିଶାର ବୋଲି ତାଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି ଏବଂ ସେହି ମସୟରେ ମଧ୍ୟ ଏନେଇ ଦଲିଲ ରଖିଥିବା ଜୋର ଦେଇ କହିଥିଲେ । ଏହାସହ ମାମଲା ଏବେ ସୁପ୍ରିମକୋର୍ଟରେ ଅଛି ଏବଂ ଆନ୍ଧ୍ର ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ ବୋଲି ଯୁକ୍ତି ବାଢ଼ିଥିଲେ । ଏହି କଥାରେ ନରମି ଯାଇଥିଲେ ଆନ୍ଧ୍ର ଅଧିକାରୀ ଓ ଶେଷରେ ବିଡିଓ ସବୁ ନାମ ଫଳକ ପରିବର୍ତନ କରି ଫେରିଥିଲେ । କୋଟିଆକୁ ନିଜ ଦଖଲକୁ ନେବାକୁ ଗୋଟିଏ ପରେ ଗୋଟିଏ ଚାଲ ଖେଳୁଛି ଆନ୍ଧ୍ର । ହେଲେ ଆନ୍ଧ୍ରର ଷଡ଼ଯନ୍ତ୍ରକୁୁ ବିଫଳ କରିବାକୁ ନିଜର ରଣନୀତି ପ୍ରସ୍ତୁତି କରିନେଇଛି ଜିଲ୍ଲା ପ୍ରଶାସନ । ଆଉ ତେଲଗ୍ରୁ ନାମଫଳକକୁ ହଟାଇ ଏହି ଓଡ଼ିଆ ନାମଫଳକ ଲଗାଇବା ହେଉଛି ତାର ପ୍ରମାଣ ।