ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତନାଘନା: ଖଳନାୟକ ପୁଞ୍ଜିଲାଲର ମେହେରକୁ କଂଟାବାଂଜିରୁ ଟ୍ରେନରେ ରାୟପୁର ନେଲା କ୍ରାଇମବ୍ରାଂଚ

37

କନକ ବ୍ୟୁରୋ: ପାଟଣାଗଡ ପାର୍ସଲ ବୋମା ଘଟଣାର ତଦନ୍ତ ପାଇଁ ପୁଞ୍ଜିଲାକୁ ଧରି ରାୟପୁର ଗଲା କ୍ରାଇମବ୍ରାଂଚ । ଆଜି କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରକୁ ରାୟପୁର ନେଇଛି । ଆଜି ସକାଳେ କଂଟାବାଂଜି ଷ୍ଟେସନରୁ ଟ୍ରେନ ଯୋଗେ ପୁଞ୍ଜିଲାଲକୁ ରାୟପୁରକୁ ନିଆଯାଇଛି । କ୍ରାଇମବ୍ରାଂଚ ଆଗରେ ପୁରା ଘଟଣାର ଡେମୋ ଦେଖାଇବ ଅପରାଧୀ ଅଧ୍ୟାପକ । ଗତକାଲି ପାଟଣାଗଡ ମେହେରପଡା ସ୍ଥିତ ପୁଂଜିଲାଲର ଘରେ ନିଜେ ଯାଂଚ କରିଥିଲେ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା । ଏହାପରେ କେନ୍ଦ୍ରୁପତ୍ର ଡାକବଙ୍ଗଳାରେ ପହଂଚି ପୁଞ୍ଜିଲାଲକୁ ମାରାଥନ ଜେରା କରିଥିଲେ । ଆଜି ସକାଳେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚର ଏକ ଟିମ ପୁଂଞ୍ଜିଲାଲକୁ ଧରି ସରଜମିନ ତଦନ୍ତ ପାଇଁ ରାୟପୁର ନେଇଛି ।

ପୁଞ୍ଜିଲାଲ ଖୋଲିବ ମୃତ୍ୟୁର ପାଞ୍ଜି 

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞିଲାଲଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ପୁଞ୍ଜିଲାଲକୁ ରାୟପୁରର ବିଭିନ୍ନ ସ୍ଥାନକୁ ନେବ କ୍ରାଇମବ୍ରାଂଚ । ଏହି ସମୟରେ କଣ କଣ କରିଥିଲା, ତାର ଡେମୋ ଦେଖାଇବ ମୃତ୍ୟୁର ସୌଦାଗର । ରାୟପୁରରେ ପୁଞ୍ଜିଲାଲର ସାଥ ଦେଇଥିବା ଅଟୋ ଡ୍ରାଇଭରର ବି ଖୋଜା ଚାଲିଛି । ଅଟୋ ଡ୍ରାଇଭର ଧରାହେଲେ ପୁଞ୍ଜିଲାଲର ମାଷ୍ଟରପ୍ଲାନ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ । ମୃତ୍ୟୁର ଉପହାର ଧରି ରାୟପୁରର ରାଜରାସ୍ତାରେ ଘୁରିବୁଲୁଥିଲା ପୁଞ୍ଜିଲାଲ । ହତ୍ୟାର ନକ୍ସା ପ୍ରସ୍ତୁତ କରିବା ପରେ ତାକୁ ଚୁଡାନ୍ତ ରୂପ ଦେବା ପାଇଁ ଏକ ରିସ୍କାରେ ବସି ଏଗଳିରୁ ସେଗଳି ଘୁରି ବୁଲୁଥିଲା ପୁଞ୍ଜିଲାଲ୍ ମେହେର । ନିଜ ପରିଚୟକୁ ଗୋପନୀୟ ରଖି, ମୃତ୍ୟୁର ପାର୍ସଲ ପଠାଇବା ପାଇଁ ପୁଞ୍ଜିଲାଲ୍ ପହଂଚିଯାଉଥିଲା ଗୋଟିଏ ପରେ ଗୋଟିଏ କୋରିୟର ।

ରାୟପୁର ଷ୍ଟେସନରୁ ପ୍ରଥମେ ଏକ ଅଟୋରେ ବସି ପହଂଚି ଯାଇଥିଲା ଡିଟିଡିସି କୋରିୟର ସଂସ୍ଥା ପାଖରେ । ନିଜେ ଯାଇ କୋରିୟର ଦେବା ବଦଳରେ ଅଟୋ ଡ୍ରାଇଭରକୁ କହିଥିଲା କୋରିୟରକୁ ପଠାଇଥିବା ପାଇଁ । ହେଲେ କୋରିୟର ସଂସ୍ଥା ଆଧାର କାର୍ଡ ମାଗିବାରୁ ସେଠାରୁ ଫେରି ଆସିଥିଲା ପୁଞ୍ଜିଲାଲ । ଏହା ପରେ ଅଟୋ ରିକ୍ସା ନେଇ ପୁଣି ବାହାରିଥିଲା ଆଉ ଏକ କୋରିୟର ସଂନ୍ଧାନରେ । ପୁଞ୍ଜିଲାଲର ଅପରାଧ ପ୍ରମାଣ କରିବାକୁ ହେଲେ ସେହି ଅଟୋ ଡ୍ରାଇଭର ପାଖରେ କ୍ରାଇମବ୍ରାଂଚ୍କୁ ପହଂଚିବାକୁ ପଡ଼ିବ । ଆଉ ଅଟୋ ଡ୍ରାଇଭରକୁ ଖୋଜିବା ପାଇଁ ଉଦ୍ୟମ କରୁଛି କ୍ରାଇମବ୍ରାଂଚ୍ । ଏମିତିକି ଅଟୋ ଡ୍ରାଇଭରକୁ ଠାବ କରିବା ପାଇଁ ରଖାଯାଇଛି ପୁରସ୍କାର ।