ଉଜୁଡି ଯାଇଛି ଉର୍ମିଳାଙ୍କ ସଂସାର: ସ୍ୱାମୀ ଗଲା ପରେ ୭ ପିଲାଙ୍କ ପେଟରେ ଦାନା ଗଣ୍ଡେ ଦେବାକୁ ଏକାଏକା ସଂଘର୍ଷ କରୁଛନ୍ତି ଉର୍ମିଳା

417

କନକ ବ୍ୟୁରୋ: ପିଣ୍ଡା ଉପରେ ପିଲା, ପିଲାଙ୍କ ପେଟରେ ଭୋକ । ଆଉ ଭୋକର ଭଙ୍ଗା କାନ୍ଥକୁ ଭରସା କରି ନିଜ ଭୋକିଲା ପିଲାଙ୍କ ଭବିଷ୍ୟତ କଥା ଭାବୁଛି ଅସହାୟ ମାଆ । ନା ପିଲାଙ୍କ ପେଟ ପୂରା କରିପାରୁଛି, ନା କଅଁଳା ଛୁଆଙ୍କୁ ଛାଡି କୁଆଡେ କାମଧନ୍ଦା ପାଇଁ ଯାଇପାରୁଛି । ଦାରିଦ୍ର‌୍ୟତା ଓ ଭୋକର ଭଉଁରୀ ଭିତରେ ପେଷି ହୋଇ ଭଙ୍ଗା କାନ୍ଥକୁ ଆଉଜି ନିଜ ଭାଗ୍ୟକୁ ନିନ୍ଦୁଛି । କାରଣ ଅଧା ବାଟରେ ସ୍ୱାମୀ ଏକା କରି ଆରପାରିକୁ ଚାଲିଯିବା ପରେ ଏବେ ଅସହାୟ ହୋଇ ଏକା ଲଢୁଛନ୍ତି ପଟ୍ଟାମୁଣ୍ଡାଇ ଗିରି ସାହିର ଉର୍ମିଳା ଗିରି ।

୩ ବର୍ଷ ତଳୁ ସ୍ୱାମୀ ଚାଲିଯାଇଛନ୍ତି । ଚିକିତ୍ସା ପାଇଁ ଟଙ୍କା ନଥିବାରୁ ରୋଗରେ ପଡି ପଡି ଆଖି ବୁଜିଥିଲେ ଉର୍ମିଳାଙ୍କ ସ୍ୱାମୀ । ଆଉ ସ୍ୱାମୀ ଗଲା ପରେ ୭ଟି ପିଲାଙ୍କ ଭାର ଏକା ଏକା ବହୁଛନ୍ତି ଉର୍ମିଳା । ଶିକ୍ଷିତ ହୋଇ ନଥିବାରୁ ସିନା ସାତ ସାତଟି ପିଲା ଜନ୍ମ କରିଦେଲେ ହେଲେ ସେମାନଙ୍କ ଲାଳନ ପାଳନ କରିବା ତାଙ୍କ ପାଇଁ ସାଙ୍ଘାତିକ ହୋଇ ପଡିଛି । ସମସ୍ତଙ୍କ ପେଟରେ ଦାନା ଦେବା ଅସମ୍ଭବ ହେଉଥିବାରୁ କେବେ କେବେ ପିଲାଙ୍କୁ ପାଣି ପିଆଇ ଶୁଆଇ ପକାନ୍ତି ଉର୍ମିଳା ।

ସେପଟେ ଘରର ଦୁଃଖକୁ ଦୁଇଗୁଣା କରିଛି ଦୁଇ ପୁଅଙ୍କ ରୋଗ । ବଡ ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଚଲାବୁଲା ତ ଦୂରର କଥା ନିଜେ ଉଠିବସି ମଧ୍ୟ ପାରୁନି । ଆଉ ସାନ ପୁଅ ମୁଣ୍ଡର ଏମିତି ଏକ ଘା’ ହୋଇଛି ଯେ, ଯେତେ ଔଷଧ ଲଗାଇଲେ ବି ଜମା ଶ୍ରୁଖୁନି । ଗୋଟିଏ ପଟେ ପେଟ ପୂରା କରିବାକୁ ସାମର୍ଥ୍ୟ ନଥିବା ବେଳେ ଅନ୍ୟପଟେ ଦୁଇ ପୁଅଙ୍କ ଏଭଳି ଅବସ୍ଥା ଉର୍ମିଳାଙ୍କୁ ଅଣ ନିଶ୍ୱାସୀ କରାପକାଉଛି ।

ତେବେ ଉର୍ମିଳାଙ୍କ ବଡ ଦିବ୍ୟାଙ୍ଗ ହୋଇଥିଲେ ବି ଏଯାଏଁ ତାଙ୍କୁ ଭତ୍ତା ମିଳୁନି କି ରାସନ କାର୍ଡ ଥିବା ସତ୍ତେ୍ୱ ପରିବାରକୁ ଠିକରେ ରାସନ ମିଳିପାରୁନି । ସରକାରୀ ସାହାଯ୍ୟ ପାଇଁ ଉର୍ମିଳା ଅନେକ ଲୋକଙ୍କୁ ନେହୁରା ହୋଇଥିଲେ ବି ତାଙ୍କ ଅସହାୟତାକୁ କେହି ବୁଝୁ ନାହାନ୍ତି । ସେପଟେ ଖୁବ ଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।