ଗଞ୍ଜାମରୁ ଭୁବନେଶ୍ୱର… ଏ କାହାଣୀ ଅସହାୟତାର, ଏ କାହାଣୀ ଅଭାବର… କେମିତି ପେଟ ପାଇଁ ପୁରୁଣା ଭୁବନେଶ୍ୱରରୁ ସ୍ମାର୍ଟସିଟି ଯାଏଁ ସଙ୍ଘର୍ଷ କରିଛନ୍ତି ପାଟ ମାଉସୀ ?

319

କନକ ବ୍ୟୁରୋ: କଂକ୍ରିଟର ସହର, କଟକଣାର ରାସ୍ତା । ପାଦେ ଆଗେଇଲେ ପଜିଟିଭର ଭୟ, ପାଦେ ପଛେଇଲେ ଭୋକର ଭଉଁରୀ । ଲକଡାଉନ ଲକ୍ଷ୍ମଣରେଖା ପାଇଁ ଜନପଥ ଜନହୀନ, ସହର ଶୂନଶାନ । ଉଦୁଉଦିଆ ଖରା ବେଳେ ଖାଁ ଖାଁ ଭିଡର ଭୁବନେଶ୍ୱର । ଆଉ ଏତିକି ବେଳେ ଅସହାୟତାର ଅପରାହ୍ନରେ ଗରିବ ଖୋଜେ ଗଛର ଛାଇ, ଆଉ ସେହି ଛାଇ ମିଳୁମିଳୁ ମନେପଡେ ପୁରୁଣା ଦିନ, ମନେପଡେ ସଙ୍ଘର୍ଷର କାହାଣୀ, ଓଲଟିଯାଏ ଅତୀତର ପୃଷ୍ଠା, ହାଲକା ପବନରେ ଫିଟିଯାଏ ପାଟ ମାଉସୀର ୫୦ ବର୍ଷର କାହାଣୀ…

ପିଲାଟି ଦିନରୁ ପାଟ ବେହେରାଣୀଙ୍କ ବାପାମାଆ ଆରପାରିକୁ ଚାଲିଯାଇଥିଲେ । ବାପାମାଆ ଛେଉଣ୍ଡ ହେବା ପରେ ମାମୁ ତାଙ୍କର ଦାୟିତ୍ୱ ନେଇଥିଲେ ହେଁ ପରେ ତାଙ୍କୁ ଧୋକା ଦେଇଥିଲେ । ତାଙ୍କର ସବୁ ପୈତୃକ ସମ୍ପତ୍ତି ବିକ୍ରି କରି କୁନି ଝିଅଟିକୁ ମାମୁ ଘରୁ ତଡିଦେଲେ । ବାସ୍ ସେବେଠାରୁ ଜୀବନ ସହ ସଂଘର୍ଷ କରିଚାଲିଛନ୍ତି ପାଟ । ମାତ୍ର ୯ ବର୍ଷ ବୟସରୁ ଗଞ୍ଜାମ ପାତ୍ରପୁର ଗାଁରୁ ଚାଲିଚାଲି ଭୁବନେଶ୍ୱର ପଳାଇ ଆସିଥିଲେ । ପେଟ ପାଇଁ ପାଟ ଅନେକ କଷ୍ଟ କରଛନ୍ତି । ପର ଘରେ ମୂଲଲାଗି, ବାସନ ମାଜି ଜୀବନ ଜିଉଁଥିବା ମହିଳା ପରବର୍ତ୍ତୀ ସମୟରେ ବନିଗଲେ ରାଜଧାନୀର ପାଟ ମାଉସୀ…

ହାତରେ ବାଡି, ପାଦରେ ଚପଲ, ପାଖରେ ପେଡି ପୁଟୁଳା ଧରି ରାମ ମନ୍ଦିର କଡରେ ବସିଥାଏ ପାଟ ମାଉସୀ । ଖବର ଖୋଜୁ ଖୋଜୁ ଏହି ଅସହାୟ ମହିଳାଙ୍କ ଉପରେ ପଡିଲା ଆମ ସମ୍ବାଦଦାତାଙ୍କ ନଜର । ବାସ୍ ତାପରେ କ୍ୟାମେରା ଆଗରେ ଭୋକ, କଷ୍ଟକୁ ନେଇ ଲକଡାଉନର ଲୁହଭରା କାହାଣୀ କହିଚାଲିଲେ ପାଟ ମାଉସୀ । ଦିନ ଥିଲା ପର ଘରେ କାମ କରି ବଞ୍ଚିଯାଉଥିଲେ ମାଉସୀ । ହେଲେ ଏବେ ବଳବୟସ ହଟିଲାଣି । ତା ଛଡା ତ ସମସ୍ତଙ୍କୁ ଭୂତାଣୁର ଭୟ । ବାବୁଘର ଲୋକେ ତ ବାଟ କିଳିଛନ୍ତି, ସେମାନେ ବା କେମିତି ଜାଣିବେ ଗରିବର ଭୋକ । ଲକଡାଉନ, ସଟଡାଉନ ପାଇଁ ସବୁ ବନ୍ଦ । ପେଟ ଚାଖଣ୍ଡ ପାଇଁ ତ ଘରୁ ବାହାରିବାକୁ ପଡିବ । ଯେଉଁଥିପାଇଁ ଏଇ ଫୁଟପାଥରେ ବସି ସହୃଦୟ ବ୍ୟକ୍ତିଙ୍କ ବାଟକୁ ଚାହିଁରଛନ୍ତି ପାଟ ମାଉସୀ । କେହି ତ ଆସିବ ଯିଏ ଖାଇବାକୁ ଗଣ୍ଡେ ଦେବ । ଭୂତାଣୁ, ଭୋକ ଭିତରେ ଏଇ ଭରସା ଟିକକ ଭଗବାନଙ୍କ ଉପରୁ ଭାଙ୍ଗି ନାହାନ୍ତି ମାଉସୀ ।

ସେପଟେ ଭିକ୍ଷା ମାଗିବାକୁ ଲାଜ ଲାଗୁଛି ଏ ସ୍ୱାଭିମାନୀ ମଣିଷଙ୍କୁ । କେମିତି ବା ମାଗିବେ । ପିଲାବେଳେ ବହୁ ଗେଲ ବସରରେ ବାପାମାଆ ବଢାଇଥିଲେ । ହେଲେ ଭାଗ୍ୟ ଆଜି ତାଙ୍କୁ କେଉଁଠି ଆଣି ପହଞ୍ଚାଇ ଦେଇଛି । ଜନଗହଳି ଭରା ଭୁବନେଶ୍ୱରରେ ହୁଏତ ଆଗରୁ ଲୋକଙ୍କୁ ଦେଖି, କାହା ସହ କଥା ହୋଇ ବା କାହାର ସାହାଯ୍ୟ ପାଇ ମାଉସୀ ଚଳିଯାଉଥିଲା, ନିଜକୁ ବ୍ୟସ୍ତ ରଖି ସମୟ ଟାଳିଦେଉଥିଲା । ହେଲେ ଏବେ ନିରବତାର ସହରରେ ଭାରି ମନେପଡୁଛନ୍ତି ବାପାମାଆ, ଭାରି ମନେପଡୁଛି ପିଲାଦିନ । ଯଦି ପିଲାଦିନୁ ବାପାମାଆ ଥାନ୍ତେ ତେବେ ସେ କଣ ଆଜି ଏମିତି ଅସହାୟ ହୋଇ ଫୁଟଫାଥରେ ଜୀବନ ଜିଉଁଥାନ୍ତେ, ପରର ହାତଟେକାକୁ ଚାହିଁରହିଥାନ୍ତେ । ବୟସର ଅପରାହ୍ନରେ ବାପାମାଆଙ୍କ କଥା ମନେପକାଇ ଲୁହ ନିଗାଡୁଛନ୍ତି ପାଟ ମାଉସୀ ।

ସଟଡାଉନ ସରିଯିବ, ଲକଡାଉନ ହଟିଯିବ ହେଲେ ଲକଡାଉନ ଯେଉଁ ଲୁହର କାହାଣୀ ଲେଖାଉଛି ତାହା ସବୁଦିନ ପାଇଁ ମନେରହିବ । ଆଶା କରିବା ଅସହାୟ ପାଟ ମାଉସୀଙ୍କୁ ସହୃଦୟ ବ୍ୟକ୍ତିମାନେ ସହଯୋଗ କରିବେ ଆଉ ତାଙ୍କ ମୁହଁରେ ଚେନାଏ ହସ ଫୁଟାଇବେ…

Comments are closed.