କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଭିତରେ କଙ୍ଗାରୁ ଦଳକୁ ବଡ ଝଟକା ଲାଗିଛି । ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ପରାଜିତ ହୋଇଥିବା ବେଳେ ତୃତୀୟ ମ୍ୟାଚ୍ ୧ ମାର୍ଚ୍ଚରୁ ଇନ୍ଦୋରରେ ଆରମ୍ଭ ହେବ । ତେବେ ଏହାପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଅଷ୍ଟ୍ରେଲିଆ ଫେରି ଯାଇଛନ୍ତି । ପରିବାରରେ ନିକଟ ସମ୍ପର୍କୀୟ ସ୍ୱାସ୍ଥ୍ୟ ସଂକଟାପନ୍ନ ହେବା କାରଣରୁ କମିନ୍ସ ଅଷ୍ଟ୍ରେଲିଆ ଫେରିଛନ୍ତି । କିନ୍ତୁ ତୃତୀୟ ମ୍ୟାଚ୍ ପୂର୍ବରୁ କମିନ୍ସ ଭାରତ ଫେରିପାରନ୍ତି । ତେବେ ଏନେଇ କମିନ୍ସଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Advertisment

ତୃତୀୟ ମ୍ୟାଚ୍ ୧ ମାର୍ଚ୍ଚରେ ହେବ । ତେଣୁ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ମଧ୍ୟରେ ୮ ଦିନର ବ୍ୟବଧାନ ରହିଛି । ତେଣୁ କମିନ୍ସ ନିଜ ପରିବାର ପାଖକୁ ଫେରିଛନ୍ତି । କମିନ୍ସ ସିଡନୀରେ ୩ରୁ ୪ ଦିନ ରହିବା ପରେ ପୁଣିଥରେ ଭାରତ ଫେରିପାରନ୍ତି । ଅନ୍ୟପଟେ ଚଳିତ ସିରିଜରେ କମିନ୍ସ ମଧ୍ୟ ସେତେଟା ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି । ନାଗପୁର ଟେଷ୍ଟରେ କମିନ୍ସ ମୋଟ୍ ୭ ରନ କରିଥିବା ବେଳେ ୨ଟି ୱିକେଟ ହାତେଇଥିଲେ । ସେହିଭଳି ଦିଲ୍ଲୀ ଟେଷ୍ଟରେ ମୋଟ ୩୩ ରନ କରିଥିବା ବେଳେ ଗୋଟିଏ ୱିକେଟ ହାତେଇଥିଲେ ।

ଏହାପୂର୍ବରୁ ଅଷ୍ଟ୍ରେଲିଆର ଓପନର ଡେଭିଡ ୱାର୍ଣ୍ଣର ଆହତ ହୋଇ ଦ୍ୱିତୀୟ ମ୍ୟାଚ୍ ଅଧାରୁ ପ୍ୟାଭିଲିୟନକୁ ଫେରିଥିଲେ । ତେଣୁ ତୃତୀୟ ମ୍ୟାଚରେ ୱାର୍ଣ୍ଣର ଯଦି ଫିଟ୍ ନ ହୁଅନ୍ତି ତେବେ ଅଷ୍ଟ୍ରେଲିଆକୁ କଡା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଭାରତ ବିପକ୍ଷରେ ୱାର୍ଣ୍ଣର ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇନଥିଲେ ମଧ୍ୟ ଭରସାଯୋଗ୍ୟ ବ୍ୟାଟର ଭାବେ ବଡ ଇନିଂସ ଖେଳିବାର ଦକ୍ଷତା ରଖିଛନ୍ତି । ଇନ୍ଦୋରରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଚତୁର୍ଥ ମୁକାବିଲା ଅହମ୍ମଦାବାଦରେ ଖେଳାଯିବ । ଟେଷ୍ଟ ସିରିଜ ପରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ।