କନକ ବ୍ୟୁରୋ : ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆର ଇନିଂସ ପରାଜୟ ପରେ ମୁହଁ ଖୋଲିଛନ୍ତି ଅଧିନାୟକ ପାଟ କମିନ୍ସ । ତୃତୀୟ ଦିନରେ ମ୍ୟାଚର ଫଳାଫଳ ସାମ୍ନାକୁ ଆସିଥିଲା । ଦ୍ୱିତୀୟ ଇନିଂସରେ ମାତ୍ର ୯୧ ରନ କରିବାକୁ ସକ୍ଷମ ହୋଇଥିଲା କଙ୍ଗାରୁ ଦଳ । ଆଉ ଏହି ବିଜୟ ସହ ୪ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।

Advertisment

ଏହି ମ୍ୟାଚ୍ ପୂର୍ବରୁ ପିଚକୁ ନେଇ ଅନେକ ଆଲୋଚନା ହେଉଥିଲା । ଏପରିକି ଅଷ୍ଟ୍ରେଲିଆ ଗଣମାଧ୍ୟମ ନାଗପୁର ପିଚକୁ ନେଇ ସମାଲୋଚନା କରିବାକୁ ପଛାଇ ନଥିଲା । କିନ୍ତୁ ମ୍ୟାଚ୍ ପରେ ଅଷ୍ଟ୍ରେଲିଆ ଅଧିନାୟକ ଯାହା କହିଛନ୍ତି ତାହା ସମସ୍ତଙ୍କ ମୁହଁକୁ ଚୁପ୍ କରିବାକୁ ଯଥେଷ୍ଟ । କମିନ୍ସ କହିଛନ୍ତି, ନାଗପୁର ପିଚ୍ ଖେଳିବା ଯୋଗ୍ୟ ଥିଲା । ରୋହିତ ଶର୍ମା ଓ ଟ୍ରଡ ମର୍ଫିଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଥିଲେ କମିନ୍ସ ।

ମ୍ୟାଚ୍ ପରେ କମିନ୍ସ କହିଥିଲେ, ଏହି ମୁକାବିଲା ଅନେକ ସମ୍ଭାବନା ସୃଷ୍ଟି କରିଥିଲା । କିନ୍ତୁ ଭାରତୀୟ ଦଳ ବେଶ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲା । ଯେତେବେଳେ ପିଚ୍ ବଲ ଟର୍ଣ୍ଣ ହୁଏ ସେତେବେଳେ ଭାରତୀୟ ସ୍ପିନର ଅଧିକ ଆକ୍ରମଣାତ୍ମକ ହୋଇପଡନ୍ତି । ତେବେ ରୋହିତ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲେ । ଯଦି ଆମେ ଆଉ ୧୦୦ ରନ୍ କରିପାରିଥାନ୍ତୁ ତେବେ ଟିମ୍ ଇଣ୍ଡିଆ ଉପରେ ଚାପ ପକାଇ ପାରିଥାନ୍ତୁ । ଏହାଛଡା ଅଷ୍ଟ୍ରେଲିଆ ବ୍ୟାଟର ଆହୁରି ବଡ ସ୍କୋର କରିବାକୁ ପଡିବ । ଟ୍ରଡ ମର୍ଫି ମଧ୍ୟ ଦମଦାର ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ।