ଆଇପିଏଲ ୨୦୨୪ : ନୂଆ ଅଧିନାୟକଙ୍କ ନାଁ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ, ପୂର୍ବରୁ ନିଜ ଦେଶକୁ କରିଛନ୍ତି ବିଶ୍ୱବିଜୟୀ ।

1,205

କନକ ବ୍ୟୁରୋ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ୨୦୨୪ । ପ୍ରଥମ ମ୍ୟାଚ୍ ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟରେ ଖେଳାଯିବ । ତେବେ ଆଇପିଏଲ ଆରମ୍ଭ ପୂର୍ବରୁ ପୂର୍ବ ଚାମ୍ପିୟନ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ନିଜର ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି । ଅଷ୍ଟ୍ରେଲୀୟ କ୍ରିକେଟର ପାଟ କମିନ୍ସଙ୍କୁ ଆଇପିଏଲର ଆଗାମୀ ସିଜିନ ପାଇଁ ଅଧିନାୟକ ଦାୟିତ୍ୱ ଦେଇଛି ସନରାଇଜର୍ସ ହାଇଦ୍ରାବାଦ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛି ସନରାଇଜର୍ସ ହାଇଦ୍ରାବାଦ ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପୋଷ୍ଟ ସେୟାର କରି କୁହାଯାଇଛି ଯେ, ଅରେଞ୍ଜଆର୍ମି । ଆଇପିଏଲ ୨୦୨୪ ପାଇଁ ଆମର ନୂଆ ଅଧିନାୟକ ପାଟ କମିନ୍ସ । ଦକ୍ଷିଣ ଆଫ୍ରିକାର ବ୍ୟାଟର ଏଡେନ ମାକ୍ରମଙ୍କ ସ୍ଥାନରେ ପାଟ କମିନ୍ସଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛି ହାଇଦ୍ରାବାଦ । ଗତ ନିଲାମୀରେ ପାଟ କମିନ୍ସଙ୍କୁ ୨୦.୫ କୋଟି ଟଙ୍କାରେ କିଣିଥିଲା ହାଇଦ୍ରାବାଦ । ସଫଳ ଅଧିନାୟକ ଭାବେ ହାଇଦ୍ରବାଦକୁ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବିଜୟୀ କରାଇଛନ୍ତି ପାଟ କମିନ୍ସ । ତେଣୁ କମିନ୍ସଙ୍କ ଉପରେ ଭରସା କରି ଗୁରୁ ଦାୟିତ୍ୱ ଦେଇଛି ହାଇଦ୍ରାବାଦ ।

ଏହାପୂର୍ବରୁ ଗତବର୍ଷ ଏଡେନ ମାକ୍ରମ ଆଇପିଏଲ ୨୦୨୩ ସିଜିନରେ ହାଇଦ୍ରାବାଦର ଅଧିନାୟକ ଭାର ସମ୍ଭାଳିଥିଲେ । ନୈରାଶ୍ୟଜନକ ପ୍ରଦର୍ଶନ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା । କିନ୍ତୁ ନୂଆ ଅଧିନାୟକ ପାଟ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ରହିଛି ।