ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି । ବିହାରରେ ତାଙ୍କ ଦଳକୁ ଗୋଟିଏ ବି ଆସନ ମିଳିନଥିବାରୁ ଥିଲେ ଅସନ୍ତୁଷ୍ଟ ।

403

କନକ ବ୍ୟୁରୋ : ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ । ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ପଶୁପତି ପାରସ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପଶୁପତି ପାରସ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହାସହ କହିଛନ୍ତି, ମୋ ପ୍ରତି ଏବଂ ମୋ ଦଳ ପ୍ରତି ଅନ୍ୟାୟ କରାଯାଇଛି ।

ବିହାରରେ ଆସନ ବୁଝାମଣାରେ ବିଜେପି ୧୭ଟି ଲୋକସଭା ଆସନ, ଜେଡିୟୁ ୧୬ଟି, ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଦଳ ୫ଟି, ଉପେନ୍ଦ୍ର କୁଶୱା ଏବଂ ଜୀତନରାମ ମାଂଝିଙ୍କ ଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଥିଲା । ହେଲେ ପଶୁପତିଙ୍କ ଦଳକୁ ଗୋଟିଏ ବି ଆସନ ମିଳିନଥିଲା, ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ।

ପଶୁପତି କହିଛନ୍ତି, ସେ ମୋଦୀଙ୍କୁ ସମ୍ନାନ କରନ୍ତି । ୨୦୧୪ ଠାରୁ ତାଙ୍କ ଦଳ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ । ହାଜିପୁର ଆସନରେ ପଶୁପତି ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି । ଯେଉଁଠୁ ସେ ଏବେ ସାଂସଦ ଅଛନ୍ତି । ହେଲେ ଏହି ଆସନ ତାଙ୍କ ପୁତୁରା ଚିରାଗଙ୍କୁ ଦିଆଯାଇଥିବା ଜଣାପଡିଛି । ଯିଏକି ତାଙ୍କର ଅନ୍ୟତମ ବିଦ୍ରୋହୀ । ତେଣୁ ପଶୁପତି ଏନଡିଏ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ଏନଡିଏକୁ ଝଟକା ଦେଇଛନ୍ତି ପଶୁପତି ।

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ପଶୁପତି ପାରସଙ୍କ ଦଳ ଏଲଜେପି ଏବେ ଆରଜେଡି ସହ ଯୋଗାଯୋଗରେ ରହିଛି । ତେବେ ବିହାରରେ ମହାଗଠବନ୍ଧନରେ ପଶୁପତିଙ୍କୁ ଏଣ୍ଟ୍ରି ମିଳିବା ଏତେ ସହଜ ନୁହେଁ । ଏବେ ପଶୁପତିଙ୍କ ଦଳ ଏଲଜେପିରେ ୫ ଜଣ ସାଂସଦ ରହିଛନ୍ତି । ଏହାସତ୍ତେ୍ୱ ମଧ୍ୟ ଏନଡିଏର ଆସନ ଭାଗବଣ୍ଟାରେ ଗୋଟିଏ ବି ଆସନ ତାଙ୍କ ଦଳକୁ ମିଳିନଥିଲା ।