କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଷ୍ଟେସନକୁ ଆସୁନାହିଁ କୌଣସି ଟ୍ରେନ । ଗତକାଲି ଅପରାହ୍ନ ସାଢେ ୪ଟାରୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି । ଇଣ୍ଟରଲକିଂ ଓ ସିଗନାଲିଂ ପାଇଁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର- ମଂଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇଣ୍ଟରଲକିଂ ଓ ସିଗନାଲିଂକୁ ପୁନଃବ୍ୟବସ୍ଥିତ କରାଯାଉଛି । ତେଣୁ ଭୁବନେଶ୍ୱର ଷ୍ଟେସନକୁ କୌଣସି ଟ୍ରେନ ଆସିପାରୁ ନାହିଁ । ଫଳରେ ଷ୍ଟେସନରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆସନ୍ତାକାଲି ଯାଏଁ ଏହି ସମସ୍ୟା ଲାଗି ରହିବ । ଏହାପରେ ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି ।

Advertisment

ସୂଚନା ଅନୁଯାୟୀ ଗତ ସପ୍ତାହେ ହେଲା ଭୁବନେଶ୍ବରରୁ ମଞ୍ଚେଶ୍ବର ଷ୍ଟେସନ ପର୍ଯ୍ୟନ୍ତ ୬.୪ କିମି ମଧ୍ୟରେ ଥିବା ବାଣୀବିହାର, ମଞ୍ଚେଶ୍ବର ଷ୍ଟେସନର ଇଣ୍ଟର ଲକିଙ୍ଗ୍‌ ଓ ସିଗନାଲିଂ କାମ ହେଉଛି । ଯେଉଁଥିପାଇଁ କିଛି ଦିନ ହେଲା ଟ୍ରେନ୍‌ ଚଳାଚଳ ବିଳମ୍ବିତ ହେଉଥିଲା । କେଉଁ ଟ୍ରେନ୍‌ ଧାର୍ଯ୍ୟ ସମୟର ଘଣ୍ଟାଏ ତ ଆଉ କେଉଁ ଟ୍ରେନ୍‌ ୨୦ ମିନିଟ୍‌ ବିଳମ୍ବରେ ଷ୍ଟେସନରେ ପହଞ୍ଚୁଥିଲା । ତେବେ ଗତକାଲି ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ବର ରେଳ ଷ୍ଟେସନକୁ ଟ୍ରେନ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସିଗନାଲ୍‌ ମିଳି ନ ଥିବାରୁ ଟ୍ରେନ୍‌ଗୁଡ଼ିକର ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲେ । ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଷ୍ଟେସନ୍‌କୁ ଟ୍ରେନ୍‌ ନ ଆସିବାରୁ ହଜାର ହଜାର ଯାତ୍ରୀ ଅପେକ୍ଷା କରି ରହିଥିଲେ । ଏହି ସମୟ ମଧ୍ୟରେ ଟ୍ରେନ୍‌ ଚଳାଚଳ ନେଇ ଯାତ୍ରୀମାନଙ୍କ ପାଖରେ ଠିକ୍‌ ସୂଚନା ନଥିବାରୁ ସେମାନେ ଷ୍ଟେସନରେ ଅପେକ୍ଷା କରି ରହିଥିଲେ । ସମୟ ଯେତିକି ଗଡ଼ିଥିଲା ପ୍ଲାଟଫର୍ମଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା ସେତିକିି ବଢ଼ି ଚାଲିଥିଲା । ବିଶେଷକରି ଏକ ନମ୍ବର ପ୍ଲାଟ୍‌ଫର୍ମରେ ସ୍ଥିତି ଅଣାୟତଃ ହୋଇଯାଇଥିଲା। ରାତି ପ୍ରାୟ ୯ଟା ବେଳକୁ ଷ୍ଟେସନରେ ଟ୍ରେନ୍‌ ସେବା ସ୍ବାଭାବିକ ଅବସ୍ଥାକୁ ଫେରିଥିଲା ।

ଭୁବନେଶ୍ବର-ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍‌, ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ଓ ଭୁବନେଶ୍ବର-ଭାଲସାଦ-ଭୁବନେଶ୍ବର ଏକ୍ସପ୍ରେସ୍‌ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଷ୍ଟେସନ ବଦଳରେ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ରହଣୀ କରିବା ସହ ସେଠାରୁ ହିଁ ଛାଡ଼ିବ । ସେହିପରି କଟକ-ଗୁଣୁପୁର-କଟକ, ଭୁବନେଶ୍ବର-ନୂଆଗାଁ ରୋଡ୍‌-ଭୁବନେଶ୍ବର, କଟକ-ପଲାସା-କଟକ ଏକ୍ସପ୍ରେସ୍‌, ଭୁବନେଶ୍ବର-ନୟାଗଡ଼ ଟାଉନ୍‌-ଭୁବନେଶ୍ବର ଏକ୍ସପ୍ରେସ୍‌ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ଭୁବନେଶ୍ବର-ସିଏସ୍‌ଏମ୍‌ଟି ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍‌, ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍‌, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ୍‌, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ‌ଚଳାଚଳ କରିବ ।