ପୁରୀ-ଗୁଣୁପୁର ଟ୍ରେନରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍। ପଇଡରେ ନିଶା ଦ୍ରବ୍ୟ ଦେଇ ଗୋଟିଏ ପରିବାରର ୪ଜଣଙ୍କ ଠାରୁ ଲୁଟ।

185

କନକ ବ୍ୟୁରୋ: ପ୍ଲାଟଫର୍ମରେ ନିଶାସକ୍ତ ଅବସ୍ଥାରେ ପଡିଛନ୍ତି ଦୁଇ ଦମ୍ପତି । ଏମାନେ ନିଶାଦ୍ରବ୍ୟ ସେବନ କରିନାହାନ୍ତି ବରଂ ସେମାନଙ୍କୁ ପଇଡ ପାଣିରେ ନିଶା ଦେଇ ସର୍ବସ୍ୱ ଲୁଟି ନେଇଛନ୍ତି ଲୁଟେରା । ଜଗନ୍ନାଥ ଦର୍ଶନ ସାରି ପୁରୀ-ଗୁଣପୁର ଟ୍ରେନରେ ବ୍ରହ୍ମପୁର ଫେରୁଥିବାବେଳେ ଦୁଇ ଦମ୍ପତିଙ୍କୁ ପଇଡରେ ନିଶାଦେଇ ଟଙ୍କା, ଗହଣା ମୋବାଇଲ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟିନେଇଛନ୍ତି । ବ୍ରହ୍ମପୁର ଆଙ୍କୋଲି ଅଞ୍ଚଳର ଏହି ଦୁଇ ଭାଇ ତାଙ୍କ ପତ୍ନୀ ପୁରୀ ବୁଲିବାକୁ ଯାଇ ଫେରୁଥିବାବେଳେ ଏଭଳି ଘଟଣା ଘଟିଛି । ବନ୍ଧୁତା ବାନ୍ଧିବା ନାଁରେ ଧୋକା ଦେଇଛନ୍ତି ଲୁଟେରା । ଆଉ ଚେତା ଫେରିବା ପରେ ଏହି ଯାତ୍ରୀ କହିଛନ୍ତି ସେହି କୋହଭରା ଅନୁଭୂତି ।

ପୁରୀ ରେଳଷ୍ଟେସନରେ ଦୁଇ ଯୁବକ ଏହି ଦମ୍ପତିଙ୍କୁ ବ୍ୟାଗ ଓ ବିଭିନ୍ନ ସାମଗ୍ରୀ ଟ୍ରେନରେ ରଖିବା ବାହାନାରେ ନିକଟତର ହୋଇଥିଲେ । ପରେ ସାକ୍ଷୀଗୋପାଳ ନିକଟରେ ପଇଡ ପିଇବାକୁ ଦେଇଥିଲେ । ପଇଡ ପାଣି ପିଇ ସମସ୍ତେ ଅଚେତ ହୋଇଯାଇଥିଲେ । ଆଉ ଆରପିଏଫ ସମସ୍ତଙ୍କୁ ଦେଖିବା ପରେ ବ୍ରହ୍ମପୁର ଜିଆରପିକୁ ଖବର ଦେଇଥିଲା । ସମସ୍ତଙ୍କୁ ବ୍ରହ୍ମପୁର ଷ୍ଟେସନରେ ଉଦ୍ଧାର କରାଯାଇ ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିଲା । ସମସ୍ତେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଟ୍ରେନରେ ଦିନକୁ ଦିନ ଲୁଟେରା ଅଧିକ ସକ୍ରିୟ ହେବା ଚିନ୍ତାର କାରଣ ପାଲଟିଛି । କିନ୍ତୁ ଚାରିଜଣ ବରିଷ୍ଠ ନାଗରିକଙ୍କୁ ଏଭଳି ଲୁଟ କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସଂପୃକ୍ତ ଦମ୍ପତିା ।