ଝାରସୁଗୁଡାରୁ ଭୁବନେଶ୍ୱର-କୋଲକାତାକୁ ପୁଣି ଉଡିଲା ବିମାନ: ୭ ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଆସିଲା ବିମାନ, ସକାଳ ୭ଟା ୪୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲା

152

କନକ ବ୍ୟୁରୋ: ଝାରସୁଗୁଡାରୁ ଭୁବନେଶ୍ୱର ଓ କୋଲକାତାକୁ ପୁଣି ଉଡିଲା ବିମାନ । ଆଜିଠାରୁ ପୁଣି କୋଲକାତା- ଝାରସୁଗୁଡା, ଝାରସୁଗୁଡା- ଭୁବନେଶ୍ୱର, ଓ ଝାରସୁଗୁଡା- କୋଲକାତା ବିମାନ ସେବା ଆରମ୍ଭ ହୋଇଛି । ଗତ ମେ ୨୫ରୁ ଝାରସୁଗୁଡାରେ ବିମାନ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଭୁବନେଶ୍ୱର ଓ କୋଲକାତାକୁ ଝାରସୁଗୁଡାକୁ ବିମାନ ସେବା ଆରମ୍ଭ ହୋଇ ନଥିଲା । ୨୫ ତାରିଖରୁ ଦିଲ୍ଲୀ- ହାଇଦ୍ରାବାଦ ପାଇଁ ସ୍ପାଇସ୍ ଜେଟ୍ ବିମାନ ଚଳାଇଥିଲେ ମଧ୍ୟ ଏଲଏନ୍ସ ଏୟାର ପକ୍ଷରୁ ଝାରସୁଗୁଡା- ଭୁବନେଶ୍ୱର- କୋଲକାତାକୁ ବିମାନ ଉଡି ନଥିଲା ।

ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଦର୍ଶାଇ ଉଡାଣକୁ ସ୍ଥଗିତ ରଖାଯାଇଥିଲା । ଆଜି କୋଲାକାତରୁ ୫ଟା ୫୫ରେ ବିମାନ ବାହାରି ଝାରସୁଗୁଡାରେ ୭ଟା ୩୫ରେ ପହଁଚିଛି । ତାପରେ ଝାରସୁଗୁଡାରୁ ୮ଟା ୧୦ରେ ବିମାନ ଭୁବନେଶ୍ୱର ଅଭିମୁଖେ ଉଡାଣ ଭରିବ ଓ ୯ଟା ୧୫ରେ ପହଁଚିବ । ଭୁବନେଶ୍ୱରରୁ ବିମାନଟି ୯ଟା ୪୫ରେ ଉଡାଣ ଭରିବ ଓ ୧୦ଟା ୫୦ରେ ଝାରସୁଗୁଡାରେ ପହଁଚିବ, ସେଠାରୁ କୋଲକାତାକୁ ୧୧ଟା ୩୦ରେ ଉଡିବ ।

ଆଜିଠାରୁ ଧୀରେ ଧୀରେ କରୋନା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏଁ ରହିବ । ଅର୍ଥାତ ଜରୁରୀକାଳୀନ କାମ ଛଡା ଅନ୍ୟକାମରେ ଆପଣ ରାତି ୯ଟା ପରେ ଆଉ ଘରୁ ବାହାରକୁ ବାହାରି ପାରିବେ ନାହିଁ । ଆଜିଠାରୁ ୨୦୦ ପାସେଞ୍ଜର ଟ୍ରେନର ଚଳାଚଳ ବି ଆରମ୍ଭ ହୋଇଛି । ଜୁନ୍ ୮ ତାରିଖରୁ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିପାରିବେ ଭକ୍ତ । ସପିଂ ମଲ୍ ଖୋଲୁଥିବା ବେଳେ ସିନେମା ହଲ, ପାର୍କ, ବାର ଆଦି ବନ୍ଦ ରହିବ । ତେବେ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ଜୁଲାଇମାସରେ ଖୋଲିପାରେ ସେହିପରି ଜୁନ ୮ତାରିଖରୁ ଖୋଲିବ ହୋଟେଲ । ତେବେ ସାମାଜିକ ଦୁରତା ଭଳି କଟକଣାକୁ କିନ୍ତୁ କଡାକଡି ଭାବେ ମାନିବାକୁ ପଡିବ । ବନ୍ଦ ରହିଥିବା ରେଷ୍ଟୁରାଁ ଗୁଡିକ ମଧ୍ୟ ଜୁନ ୮ ତାରିଖରୁ ଖୋଲିବ ।

ତେବେ ହୋଟେଲ କିମ୍ବା ରେଷ୍ଟୋ ରାଁ ଯାଉଥିବା ଲୋକମାନେ ମାସ୍କ ପିନ୍ଧିବା ନିହାତି ଜରୁରୀ । ତାଲା ବନ୍ଦ ଖୋଲିବାର ଏହି ପ୍ରକ୍ରିୟା ଭିତରେ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ମେଟ୍ରୋ ଟ୍ରେନ ସେବା ବନ୍ଦ ରହିବ । ସିନେମା ହଲ ଗୁଡିକ ଉପରୁ ମଧ୍ୟ କଟକଣା ହଟାଯାଇନାହିଁ । ସମସ୍ତ ସିନେମା ହଲ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ସେହିପରି ଜିମ ବନ୍ଦ ରହିବ , ସୁଇମିଂ ପୁଲ ବନ୍ଦ ରହିବ, ପ୍ରମୋଦ ଉଦ୍ୟାନ ବନ୍ଦ ରହିବ । ଧାର୍ମିକ ଶୋଭାଯାତ୍ରା ଏବଂ ରାଜନୈତିକ ଶୋଭାଯାତ୍ରା ଉପରେ ତାଲା ବନ୍ଦ ସମୟରେ ଲାଗିଥିବା କଟକଣା ଉଠିନାହିଁ । ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବା ସହିତ ରାଜନୈତିକ ଶୋଭା ଯାତ୍ରା ମଧ୍ୟ ବନ୍ଦ ରହିବାକୁ ଯାଉଛି । ତେବେ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳ ନେଇ ରାଜ୍ୟ ସରକାର ନିଷ୍ପତି ନେବେ । ଘରୁ ବାହାରକୁ ଯିବା ସମୟରେ ପ୍ରତିଟି କ୍ଷେତ୍ରରେ ସାମାଜିକ ଦୁରତା ନିୟମକୁ ଲୋକମାନେ କଡାକଡି ଭାବେ ପାଳନ କରିବା ସହିତ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।