କନକ ବ୍ୟୁରୋ: ଆଉ କେତେ ଡଙ୍ଗା ବୁଡି ଘଟଣା ଘଟିଲେ ଚେତିବେ ଲୋକେ, ଚେତିବ ପ୍ରଶାସନ । କେବେ ଚିଲିକା ଜଳଯାତ୍ରା ଉପରେ ନଜର ରଖିବ ପ୍ରଶାସନ । ମାସେ ତଳେ ଚିଲିକାରେ ପର୍ଯ୍ୟଟକଙ୍କ ଡଙ୍ଗା ବୁଡିଯିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅବଶ୍ୟ ସେତେବେଳେ ପର୍ଯ୍ୟଟକଙ୍କ ଦେହରେ ଲାଇଫ୍ ଜ୍ୟାକେଟ୍ ଥିଲା । ହେଲେ ଏବେ ଚିଲିକାରେ ବିପଦପୂର୍ଣ୍ଣ ଜଳଯାତ୍ରା ଜାରିରହିଛି । ଡଙ୍ଗାରେ ଭର୍ତି ହୋଇଛନ୍ତି ଯାତ୍ରୀ । କାହାରି ଦେହରେ ନାହିଁ ଲାଇଫ ଜ୍ୟାକେଟ୍ । ଏଭଳି ଦୃଶ୍ୟ ଚିଲିକା ସାତପଡା- ଜହ୍ନିକୁଦା ଘାଟରେ ଦେଖିବାକୁ ମିଳିଛି । ଶହ ଶହ ଯାତ୍ରୀ ପ୍ରତିଦିନ ଗୋଟିଏ କି ଦୁଇ କିଲୋମିଟର ନୁହେଁ ବରଂ ଦୀର୍ଘ ୫ କିଲୋମିଟର ଯାଏଁ ଯାତ୍ରା କରୁଛନ୍ତି । ଡଙ୍ଗାରେ ଯାତ୍ରୀ ଯେତିକି ବାଇକ ମଧ୍ୟ ସେତିକି । ଜୀବନକୁ ବାଜିଲଗାଇ ଏଭଳି ଯାତ୍ରା କରୁଛନ୍ତି ଯାତ୍ରୀ । ଶହ ଶହ ଯାତ୍ରୀ ପ୍ରତିଦିନ ଏହି ରାସ୍ତା ଦେଇ ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି ।

ଚିଲିକାରେ ବାରମ୍ବାର ଡଙ୍ଗାବୁଡି ଘଟଣା ଘଟୁଥିଲେ ମଧ୍ୟ ଏହାକୁ ବେଖାତିର କରି ଯାତ୍ରା କରୁଛନ୍ତି ଯାତ୍ରୀ ଏବଂ ଏହି ଦୃଶ୍ୟ କନକ ନ୍ୟୁଜର କ୍ୟାମେରାରେ କଏଦ ହୋଇଛି । କୌଣସି ଜଣେ ଯାତ୍ରୀଙ୍କ ଦେହରେ ଲାଇଫ ଜ୍ୟାକେଟ ଟିଏ ନାହିଁ । ଯାହାକି ଏକ ବଡ ବିପଦର ସଙ୍କେତ ଦେଉଛି । ସେପଟେ ଡଙ୍ଗାରେ ଯେଉଁ ଲାଇଫ ଜ୍ୟାକେଟ ଗୁଡିକ ଅଛି ତାହା ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହୋଇଛି । ପୁରୀ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଭୟ ଭିତରେ ଡଙ୍ଗାରେ ଯାତ୍ରା କରିିବାକୁ ବାଧ୍ୟ ହେଉଛନ୍ତି ଯାତ୍ରୀ । ଚିଲିକାରେ ସ୍ଥାୟୀସେତୁ ନିର୍ମାଣ ହେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।