‘ମୁଁ କରୋନା ପଜିଟିଭ’… ଏତିକି କହିବା ପରେ ଉଡାଣ ଆରମ୍ଭରୁ ବିମାନକୁ ଫେରାଇ ଆଣିଲେ ପାଇଲଟ

1,625

କନକ ବ୍ୟୁରୋ: ବିମାନରେ ଯାତ୍ରା କରୁଥିବାବେଳେ କରୋନା ପଜିଟିଭ ବୋଲି ଜଣାପଡିଲା, ଆଉ ଏହା ପରେ ଉଡାଣ କରିବା ପୂର୍ବରୁ ବିମାନକୁ ପୁଣି ରନୱେରୁ ବିମାନବନ୍ଦରକୁ ଫେରାଇ ଆଣିଲେ ପାଇଲଟ । ଗୁରୁବାର ଦିନ ଦିଲ୍ଲୀ ବିମାନବନ୍ଦରରେ କିଛି ଏଭଳି ଘଟଣା ଘଟିଥିଲା । ମିଳିଥିବା ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଇଣ୍ଡିଗୋର ୬ ଇ ୨୮୬ ବିମାନ ଯେତେବେଳେ ଉଡାଣ ପାଇଁ ରନୱେରେ ଗଡ଼ିବା ଆରମ୍ଭ କରିଥିଲା, ଜଣେ ଯାତ୍ରୀ କହିଥିଲେ ଯେ ସେ କୋଭିଡ ପଜିଟିଭ୍ ବୋଲି ରିପୋର୍ଟ ଆସିଛି ।

ଏହି ଯାତ୍ରୀ ବିମାନରେ ଯାତ୍ରା କରିବାର କିଛି ଘଣ୍ଟା ପୂର୍ବରୁ ତାଙ୍କର ଆରଟିପିସିଆର ପରୀକ୍ଷା କରିଥିଲେ । ଆଉ ବିମାନ ଉଡ଼ାଣର ଠିକ ପୂର୍ବରୁ ଏହି ଯାତ୍ରୀଙ୍କୁ ମୋବାଇଲରେ ଟେଷ୍ଟ ରିପୋର୍ଟ ପାଇଥିଲେ, ଯାହା ଅନୁଯାୟୀ ସେ କୋଭିଡ ପଜିଟିଭ ବୋଲି ଜଣାପଡ଼ିଥିଲେ । ତେବେ କୋଭିଡ ପଜିଟିଭ ବୋଲି ଜାଣିବା ପରେ ଯାତ୍ରୀ ଜଣକ ତୁରନ୍ତ କ୍ରୁ ସଦସ୍ୟଙ୍କୁ ନିଜର ସ୍ଥିତି ବାବଦରେ ଜଣାଇନଥିଲେ । ଆଉ ଯେତେବେଳେ ସେ କ୍ରୁମେମ୍ବରମାନଙ୍କୁ କରୋନା ପଜିଟିଭ୍ ବୋଲି ଜଣାଇଥିଲେ, ସେତେବେଳେ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା ।

କିନ୍ତୁ କରୋନା ପଜିଟିଭ ବୋଲି ଜଣାପଡିବାପରେ ତୁରନ୍ତ ବିମାନକୁ ରନୱେରୁ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା । ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ, କରୋନା ପଜିଟିଭ ରୋଗୀଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା । ଏହା ପରେ ବିମାନର ଭିତରକୁ ସାନିଟାଇଜ କରାଯିବା ପରେ ବିମାନଟି ପୁଣେ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।