କରୋନାର କୋକୁଆ ଭୟ । ସପ୍ତାହକରେ ‘ମୋ ବସ୍‌’ ଯାତ୍ରୀ କମିଲେ ୫୦ହଜାର

396

କନକ ବ୍ୟୁରୋ : କରୋନା ପାଇଁ ପରିବହନ ବିଭାଗ ପକ୍ଷରୁ ଆବଶ୍ୟକ ନ ଥିଲେ ବସ୍‌ରେ ଯାତ୍ରା ନ କରିବାକୁ କୁହାଯିବା ପରେ ଏବେ ମୋ ବସ୍‌ରେ ଯାତ୍ରୀ ସଂଖ୍ୟା କମିଯାଇଛି। ଏପରିକି ସପ୍ତାହକରେ ପ୍ରାୟ ୫୦ହଜାର ଯାତ୍ରୀ କମିଛନ୍ତି। କ୍ରୁଟ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୧ ତାରିଖରେ ୧,୨୫,୮୦୩ଜଣ ଯାତ୍ରା କରିଥିବା ବେଳେ ମାର୍ଚ୍ଚ ୧୭ରେ ୭୫,୭୬୬ଜଣ ଯାତ୍ରା କରିଛନ୍ତି।

କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ୧୧ ପରଠାରୁ ଯାତ୍ରୀ ସଂଖ୍ୟା କମିବାରେ ଲାଗିଛି। ମାର୍ଚ୍ଚ ୧୧ରେ ୧,୨୫,୮୦୩ଜଣ ଯାତ୍ରା କରିଥିବାବେଳେ, ମାର୍ଚ୍ଚ ୧୨ରେ ୧,୦୯,୬୭୫, ମାର୍ଚ୍ଚ ୧୩ରେ ୧,୦୮,୭୮୪, ମାର୍ଚ୍ଚ ୧୪ରେ ୯୧,୫୮୬, ମାର୍ଚ୍ଚ ୧୫ରେ ୮୦,୧୧୮, ମାର୍ଚ୍ଚ ୧୬ରେ ୯୯,୪୭୬ ଏବଂ ମାର୍ଚ୍ଚ ୧୭ରେ ୭୫,୭୬୬ଜଣ ଯାତ୍ରା କରିଛନ୍ତି।

ଅପରପକ୍ଷେ କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ, ବସ୍‌ ଯାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ମୋ ବସ୍‌ ଏବଂ ବସ୍‌ ରହଣୀସ୍ଥଳଗୁଡ଼ିକର ନିୟମିତ ସଫେଇ କରାଯାଉଛି। ଯେଉଁ ସ୍ଥାନଗୁଡ଼ିକରେ ଭୂତାଣୁ ସଂକ୍ରମଣର ଆଶଙ୍କା ରହିଥାଏ ଯଥା ସିଟ୍, ହ୍ୟାଣ୍ଡେଲ୍‌, ହାତ ରଖିବା ସ୍ଥାନ ଆଦିକୁ ପ୍ରତିଦିନ ଆଲକହଲ୍‌ ଯୁକ୍ତ ବିଶୋଧକରେ ସଫା କରାଯାଉଛି। ୨୦୦ଟି ଯାକ ବସ୍‌ଷ୍ଟପ୍‌କୁ ରାତି ୧୦ଟାରୁ ୧୧ଟା ମଧ୍ୟରେ ଏବଂ ସମ‌ସ୍ତ ବସ୍‌କୁ ରାତି ୧୧ଟାରୁ ଭୋର୍‌ ୫ଟା ମଧ୍ୟରେ ବିଶୋଧନ କରାଯାଉଛି। ଏହାସହ ବସ୍‌ରେ ଯାତ୍ରୀଙ୍କୁ ସଚେତନ ବି କରାଯାଉଛି।