ସାରା ରାଜ୍ୟକୁ ଦୋହଲାଇଦେଲା ସୋରର ଛାତିଥରା ଦୁର୍ଘଟଣା । ବସକୁ ପିଟିଲା ଟ୍ରକ, ଚାହୁଁଚାହୁଁ ଚାଲିଗଲା ୬ ଜୀବନ ।

1,678

କନକ ବ୍ୟୁରୋ : ବାଲେଶ୍ୱର ଏନଏଚ ୧୬ ବିଦୁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୟୂରଭଂଜ ବଡ଼ସାହିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍ ‘ଶାନ୍ତିଲତା’କୁ ଏକ କୋଇଲା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

କୁନି ପିଲାଟିଏ ମାଆର ପର୍ସକୁ ଚାପି ଧରିଥିଲା, ସେ ବୁଝି ପାରୁନଥିଲା, କ’ଣ ସବୁ ଘଟିସାରିଛି । ମନେ ମନେ ମାଆକୁ ଖୋଜୁଛି, ସେ ଜାଣିନାହିଁ, ମାଆ ଆଉ ତା’ ପାଖକୁ ଫେରିବନି । ବସ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଛି ମାଆ । ୨ ମାସର କଅଁଳା ଭାଇ ମଧ୍ୟ ଜୀବନ ହରାଇଛି ।

ସମୟ: ପ୍ରାୟ ଦିନ ୨ଟା, ସ୍ଥାନ: ସୋର ନିକଟ ‘ବିଦୁ ଛକ’ । ମୟୂରଭଞ୍ଜ ବଡ଼ସାହିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଯାତ୍ରୀବାହୀ ବସ୍ ‘ଶାନ୍ତିଲତା’ । ସୋର ନିକଟ ଜାତୀୟ ରାଜପଥ ବିଦୁ ଛକରେ ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ବସ ଅଟକିଥିଲା । ବସରୁ କିଛି ଯାତ୍ରୀ ଓହ୍ଲାଇ ସାରିଥିଲେ, ଧୀରେ ଧୀରେ ବସ୍ ଆଗକୁ ଗଡୁଥିଲା, ଆଉ ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା କୋଇଲା ବୋଝେଇ ଟ୍ରକ, ପଛ ପଟୁ ପିଟି ଦେଇଥିଲା । ଏତେ ଜୋରରେ ଧକ୍କା ଦେଇଥିଲା ଯେ ଉଭୟ ବସ ଓ ଟ୍ରକ ଏନଏଚ୍ ତଳକୁ ଖସି ପଡ଼ିଥିଲେ । ଇଟା ଗଦା ସାମ୍ନା ପଟୁ ଧକ୍କା ଦେଇ ଓଲଟି ପଡିଥିଲା ବସ୍ । ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ବସରୁ ଓହ୍ଲାଉଥିବା ଅବସ୍ଥାରେ ବସ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲା । ୨ ମାସର ଶିଶୁ ଓ ମାଆ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

ଦୁର୍ଘଟଣା ଏତେ ସାଂଘାତିକ ହୋଇଥିଲା ଯେ ସ୍ଥାନୀୟ ଅଞ୍ଚଳରେ ହଇଚଇ ଖେଳି ଯାଇଥିଲା । ବସ ଭିତରେ ଫସି ଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ କରିଥିଲେ । ବସ କାଚ ଭାଙ୍ଗି ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରିଥିଲେ । କିଛି ସମୟ ପରେ ଅଗ୍ନିଶମ ବାହିନୀ, ପୁଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଡାକ୍ତରଖାନାରେ ପହଞ୍ଚିବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ଆହତ ହୋଇଥିବା ପ୍ରାୟ ୨୩ ଜଣ ଯାତ୍ରୀଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଥିବା କୁହାଯାଉଛି । ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ମର୍ମନ୍ତୁଦ ବସ ଦୁର୍ଘଟଣାରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।