ଚମକାଇ ଦେଲା କରୋନା କାଳର ପରୀକ୍ଷାଫଳ । ସିବିଏସଇ ଭୁବନେଶ୍ୱର ଜୋନରେ ପାସ ହାର ୯୯ ଦଶମିକ ୬୨ ପ୍ରତିଶତ

143

କନକ ବ୍ୟୁରୋ: ବିନା ପରୀକ୍ଷାରେ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ପୂର୍ବର ସମସ୍ତ ରେକର୍ଡଙ୍କୁ ଭାଙ୍ଗି ଦେଇଛି । ସର୍ବ ଭାରତୀୟ ସ୍ତରରେ ପାସ ହାର ୯୯ ଦଶମିକ ୪ ପ୍ରତିଶତ ରହିଛି । ଭୁବନେଶ୍ୱର ଜୋନରେ ପାସ ହାର ରହିଛି ୯୯ ଦଶମିକ ୬୨ ପ୍ରତିଶତ । ବଡ କଥା ହେଉଛି ବିନା ପରୀକ୍ଷାରେ ରେଜଲ୍ଟ ବାହାରିଥିଲେ ମଧ୍ୟ ମାର୍କକୁ ନେଇ ପ୍ରାୟ ପିଲା ସନ୍ତୋଷ ପ୍ରକାଶ କରିଛନ୍ତି ।

କରୋନା କାଳର ପରୀକ୍ଷା ଫଳ ଆସିବା ପରେ ଖୋଦ୍ ଏହି ପିଲାମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଭାବି ନଥିଲେ , ଏତେ ମାର୍କ ମିଳିବ ବୋଲି । କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ, ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା ।ଆଉ ନିଜ ପ୍ରତିକ୍ରିୟାରେ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ପ୍ରକାଶ କରୁଥିଲେ ।

ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ପାସ୍ ହାର ରହିଛି ୯୯ଦଶମିକ ୪ପ୍ରତିଶତ । ୨୦ଲକ୍ଷ ୭୬ ହଜାର ୯୯୭ପିଲା ପାସ୍ କରିଛନ୍ତି । ଚଳିତ ବର୍ଷ ୯୯ ଦଶମିକ ୨୪ ପ୍ରତିଶତ ଛାତ୍ରୀ ଏବଂ ୯୮ଦଶମିକ ୮୯ ପ୍ରତିଶତ ଛାତ୍ର ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଶୂନ ଦଶମିକ ୩୫ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି । ଏପଟେ ଓଡ଼ିଶାରୁ ୪୩ହଜାର ୬୩୦ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୪୩ହଜାର ୨୮୮ ଜଣ । ଭୁବନେଶ୍ୱର ରିଜନରେ ୯୯ ଦଶମିକ ୬୨ପ୍ରତିଶତ ପିଲା ପାସ୍ କରିଛନ୍ତି ।

ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ରେଜଲ୍ଟ ୯୮ ଦଶମିକ୍ ୧୨ ପ୍ରତିଶତ ପାଇଛି । ପରୀକ୍ଷା ଦେଇଥିବା ୯ ହଜାର ୫୫୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ ହଜାର ୩୭୮ ଛାତ୍ରଛାତ୍ରୀ ପାସ କରିଛନ୍ତି ।