ଶଗଡ ଗାଡିରେ ବୁହା ହେଲେ ରୋଗୀ: ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ; ରୋଗୀଙ୍କୁ ଶଗଡରେ ବସାଇ ୫ କିମି ରାସ୍ତା ପାର କଲେ ସଂପର୍କୀୟ

92

କନକ ବ୍ୟୁରୋ: ରୋଗୀ ବୁହାହେଲେ ଶଗଡରେ । ଉପାନ୍ତ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଶଗଡ ବନିଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଶଗଡ ଗାଡିରେ ରୋଗୀଙ୍କୁ ଶୁଆଇ ୫ କିଲୋମିଟର କାଦୁଆ ରାସ୍ତା ପାରି କରାଇଛନ୍ତି ସଂପର୍କୀୟ । ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ବ୍ଲକ ବଦେଳପାଣି ଗାଁରେ । ଗାଁର ୩ ଜଣ ବ୍ୟକ୍ତି, କୁଳେ ସାନ୍ତା, କାତି ସାନ୍ତା ଏବଂ ଘନ ସାନ୍ତା ଝାଡାବନ୍ତି ହୋଇ ଅସୁସ୍ଥ ହୋଇ ପଡିଥିଲେ ।

ସେମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲା ନାହିଁ । ତେଣୁ ରୋଗୀଙ୍କୁ ଶଗଡ ଗାଡିରେ ବସାଇ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ସଂପର୍କୀୟ । ପରେ ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା । ଏବେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।