ବରଗଡରେ ଖଟିଆ ସାଜିଲା ଆମ୍ବୁଲାନ୍ସ: ଗାଁରେ ପହଁଞ୍ଚିପାରିଲାନି ଆମ୍ବୁଲାନ୍ସ; ଡାକ୍ତରଖାନାକୁ ନେବା ପାଇଁ ଖଟିଆରେ ରୋଗୀକୁ ବୋହି ଆଣିଲେ ସମ୍ପର୍କୀୟ, ବାଟରେ ବୁଜିଲେ ଆଖି

111

କନକ ବ୍ୟୁରୋ: ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏପରି ସମୟରେ ବରଗଡରୁ ଆସିଛି ବିକାଶକୁ ଉପହାସ କରିବା ପରି ଚିତ୍ର । ଗାଁରେ ପହଁଚି ପାରିଲାନି ଆଂବୁଲାନ୍ସ । ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଆସିଲେ ଗୁରୁତର ରୋଗୀ । ବରଗଡ ଜିଲ୍ଲା ଅତାବିରା ବ୍ଲକର ବୁଗବୁଗା ପଂଚାୟତର କଂଟାତଲ ଗାଁରୁ । ଗାଁର ରାସ୍ତା ଅବସ୍ଥା ଅତି ଶୋଚନୀୟ । ଗାଁର ସେନାପତି ଝାଙ୍କରଙ୍କ ଦେହ ହଠାତ୍ ଅସୁସ୍ଥ ହୋଇଥିଲ।। ପରିବାର ଲୋକେ ଆଂବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ଗାଁକୁ ରାସ୍ତା ଠିକ୍ ନଥିବାରୁ ଗାଁରେ ପହଁଚି ପାରିନଥିଲା ଆଂବୁଲାନ୍ସ । ବାଧ୍ୟ ହୋଇ ସେନାପତି ଝାଙ୍କରଙ୍କୁ ବୋହି ପାତ୍ରପଲି ଯାଏଁ ଅଣାଯାଇଥିଲା । ସେଠାରୁ ଗାଡି ଜରିଆରେ ରେମଣ୍ଡା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ସେଠାରୁ ବରଗଡ ଡାକ୍ତରଖାନାକୁ ତାଙ୍କୁ ରେଫର କରାଯାଇଥିଲା । କିନ୍ତୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାସ୍ତା ଭଲ ଥିଲେ ହୁଏତ ଚିକିତ୍ସା ସେବା ପାଇଁ ଜୀବନ ଟିଏ ବଂଚି ଯାଇଥାନ୍ତା ।