ମହାମାରୀ ଭିତରେ ମୁହାଁମୁହିଁ । ବିଜେଡି ସହ ଲଢ଼ିବାକୁ ପ୍ରସ୍ତୁତ ହେଲା ବିଜେପି । ପଞ୍ଚାୟତ ସ୍ତରରେ ସରକାରଙ୍କୁ ଘେରିବାକୁ ରଣନୀତି । କଂଗ୍ରେସ କହିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି ପ୍ରତାରଣା

397

କନକ ବ୍ୟୁରୋ: ମହାମାରୀ କରୋନା ସହ ଲଢ଼େଇ ଭିତରେ ଆରମ୍ଭ ହୋଇଛି ରାଜନୀତି । ବିଜେଡି ସହ ଲଢ଼େଇ କରିବା ପାଇଁ ବିଜେପି ଏବେ ପ୍ରସ୍ତୁତ ହେଉଛି । କ୍ୱାରେଂଟିନ ସେଂଟରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଓ ମନରେଗାକୁ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ନିକଟରେ ପହଁଚିବାକୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିିଛି ରାଜ୍ୟ ବିଜେପି । ପ୍ରତ୍ୟକ ପଂଚାୟତରେ ସୂଚନା ଅଧିକାର ଆଇନରେ ତଥ୍ୟ ସଂଗ୍ରହ କରି ବ୍ୟାପକ ଜନ ଆନ୍ଦୋଳନ କରିବାକୁ ଦଳ ସଜ ହେଉଛି ।

କେବଳ ଏତିକି ନୁହେଁ ପ୍ରତି ପଂଚାୟତ ସ୍ତରରେ ଜଣେ ଜଣେ ପ୍ରତିନିଧି ରହିବେ, ସେମାନେ ସଂଗରୋଧ କେନ୍ଦ୍ରରେ ଥିବା ଲୋକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିବେ । ସେପଟେ ବିଜେଡି କହିଛି , ଏହି ମହାମାରୀ ସହ ଲଢ଼େଇ ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ସରକାରଙ୍କ ସହଯୋଗ ମାଗିଥିଲେ ।

ଅନ୍ୟପଟେ କରୋନା ମୁକାବିଲା ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ ଘେରିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି , ଉଭୟ କେନ୍ଦ୍ର ଓ ରାଜ୍ୟରେ ପ୍ରଚାର , ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି । ଗୋଟିଏ ପଟେ ମହାମାରୀର ଭୟ ଆଉ ଗୋଟିଏ ପଟେ ରାଜନୈତିକ ଦଳଙ୍କୁ ନିର୍ବାଚନର ଚିନ୍ତା । ଏହା ଭିତରେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନେଇ ସ୍ଲୋଗାନ ବନିବ, ହେଲେ ରାଜନୀତିର ନିଶାନା ଅନ୍ୟ କେଉଁଠି ଥିବ ।