ଗୀତା ମେହେଟ୍ଟାଙ୍କ ଓଡିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଲା ବିଜେଡି ! ମୁଖପାତ୍ର ପ୍ରତାପ ଜେନା କହିଲେ, ଭୁବନେଶ୍ୱର ଆସିବା ଅସ୍ୱଭାବିକ ନୁହେଁ

48

କନକ ବ୍ୟୁରୋ : ଗୀତା ମେହେଟ୍ଟାଙ୍କ ଓଡ଼ିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ଗୀତା ମେହେଟ୍ଟା ଭୁବନେଶ୍ୱର ଆସିବା ଅସ୍ୱାଭାବିକ ନୁହେଁ ବୋଲି କହିଛନ୍ତି ମୁଖପାତ୍ର ପ୍ରତାପ ଜେନା । ସେପଟେ ଗୀତା ମେହେଟ୍ଟା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ ଅଧିକ ଖୁସି ହେବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ବିଜେଡିରେ ବୈଜୟନ୍ତ ବିବାଦ ଭିତରେ ଗତ ୨୮ତାରିଖ ରାତିରେ ଓଡ଼ିଶା ପହଂଚିଛନ୍ତି ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ।

ବିଜେଡିର ଦୁଇ ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡା ଓ ତଥାଗତ ଶତପଥୀ ଟ୍ୱିଟ୍ ଜରିଆରେ ମୁହାଁମୁହିଁ ହେବା ପରେ ବିଜେଡିରେ ବିବାଦ ଜୋର ଧରିଛି । ଏହାଛଡା ବୈଜୟନ୍ତ ଖବରକାଗଜରେ ଖୋଲାଖୋଲି ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ସମାଲୋଚନା କରିବା ପରେ ବିଜେଡିରେ ବୋମା ପଡିଛି । ଏବଂ ଠିକ୍ ଏହି ସମୟରେ ଓଡ଼ିଶା ପହଂଚିଛନ୍ତି ଗୀତା ମେହେଟ୍ଟା ।

ତେବେ, କିଛି ଦିନ ପୂର୍ବରୁ ଦୈନିକ ଜାତୀୟ ହିନ୍ଦି ଖବର କାଗଜ ଦୈନିକ ଭାସ୍କର, ଗୀତା ମେହେଟ୍ଟାଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଦର୍ଶାଯାଇଥିଲା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ କାରଣରୁ ୧୦ ମାସ ପାଇଁ ବିଦେଶ ଗସ୍ତ କରିପାରନ୍ତି ଏବଂ ଏହି ସମୟରେ ବଡ ଭଉଣୀ ଗୀତା ମେହେଟ୍ଟାଙ୍କୁ ଶାସନ ଭାର ଅର୍ପଣ କରିପାରନ୍ତି । ପୂର୍ବରୁ ମଧ୍ୟ ଓଡିଶାରେ ଏନେଇ ଚର୍ଚ୍ଚା ଚାଲିଥିଲା । ତେବେ ଏହି ଖବରକୁ ବିଜେଡି ନେତାମାନେ ଖଣ୍ଡନ କରିଆସୁଥିଲେ । ଏବେ ପୁଣି, ଗୀତା ମୁଖ୍ୟମନ୍ତ୍ରୀ ହେଲେ ସେମାନେ ଅଧିକ ଖୁସି ହେବେ ବୋଲି ବିଜେଡିର ବରିଷ୍ଠ ନେତା ଦେଇଥିବା ବୟାନ ଏହି ଚର୍ଚ୍ଚା ଅଧିକ ଖୋରକ ଯୋଗାଉଛି ।