ଧର୍ମେନ୍ଦ୍ରଙ୍କ ଖାତାରେ ଧାମନଗର ଶ୍ରେୟ! ଉପ-ନିର୍ବାଚନ ବିଜୟ ବିଜେପି ପାଇଁ ଆଣିବ କି ଟର୍ଣ୍ଣିଂ ପଏଣ୍ଟ?

195

କନକ ବ୍ୟୁରୋ : ଧାମନଗରରେ ସୂର୍ଯବଂଶୀ ସୁରଜଙ୍କ ବିଜୟକୁ ନେଇ କେବଳ ବିଜେପି ଶିବିର ଉତ୍ସାହିତ ନୁହେଁ ବରଂ ରାଜ୍ୟ ରାଜନୀତି ବାବଦରେ ଆଲୋଚନା ପାଇଁ ନୂଆ ଖୋରାକ ଯୋଗାଇଛି । କାରଣ ଦୀର୍ଘ ବର୍ଷ ପରେ ଉପ-ନିର୍ବାଚନରେ ପରାଜୟର ବୋଝ ଉଠାଇଛି ଶାସକ ବିଜେଡି । ଉପ-ନିର୍ବାଚନରେ ଶାସକ ଦଳର ବିଜୟ ନିଶ୍ଚିତ ବୋଲି ଯେଉଁ ଧାରଣା ଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁରଜ । ବିଜେପି ପାଇଁ ଏହି ବିଜୟ ଏଥିପାଇଁ ଗୁରୁତ୍ୱ ବହନ କରୁଛି କାରଣ ବିଜେଡି ସହ ସମ୍ପର୍କ ଛିନ୍ନ କରିବା ପରେ ଏବେ ସୁଦ୍ଧା ଗୋଟିଏ ବି ଉପ-ନିର୍ବାଚନରେ ଦଳ ବିଜୟ ହାସଲ କରିବାରେ ସକ୍ଷମ ହୋଇନଥିଲା । ତେଣୁ ଧାମନଗର ବିଜୟ ସହ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି ବିଜେପି । ଏହାବାଦ୍ ସୁରଜଙ୍କ ବିଜୟ କିରଣ ଏବେ ଆଗାମୀ ପଦ୍ମପୁର ଉପ-ନିର୍ବାଚନରେ ବିଜେପି ପାଇଁ ପଥ ପରିଷ୍କାର କରିବ ବୋଲି ପଦ୍ମ ଶିବିରରେ ଚର୍ଚ୍ଚା । ଗୋଟିଏ ପଟେ ସୁରଜଙ୍କ ବିଜୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିବା ବେଳେ ପଦ୍ମ ଶିବିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂରି ଭୂରି ପ୍ରଂଶସା ସାଉଁଟିଥିବା ଚର୍ଚ୍ଚା ହେଉଛି । ଶାସକ ଦଳର ଉପ-ନିର୍ବାଚନ ବିଜୟ ରଥରେ ବ୍ରେକ ଲଗାଇବାର ଶ୍ରେୟ ଏବେ ଧର୍ମେନ୍ଦ୍ରଙ୍କ ଖାତାକୁ ଆସିଛି ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି । କାରଣ ଧାମନଗର ବିଜୟରେ ଧର୍ମେନ୍ଦ୍ରଙ୍କ ଗୋଟିଚାଳନାର ବଡ ଭୂମିକା ଥିବା ନେଇ ଦଳର ତୁଙ୍ଗ ନେତୃତ୍ୱ ମଧ୍ୟ ଅସ୍ୱୀକାର କରିନାହାନ୍ତି । ସବୁଠୁ ବଡ କଥା ହେଲା ବିଜେପିର ଏହି ବିଜୟ ସହ ପୁଣିଥରେ ଓଡ଼ିଶା ରାଜନୀତିକୁ ପଦ୍ମ ଦଳର ପୋଷ୍ଟରବୟ କମବ୍ୟାକ୍ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗତ ୨୦୧୯ ନିର୍ବାଚନରେ ବିଜେପିର ମିଶନ ୧୨୦ ସ୍ୱପ୍ନ ଧୂଳିସାତ ହେବା ପରେ ଓଡ଼ିଶାରେ ବିଜେପିର ଆଭିମୁଖ୍ୟରେ ବଡ ଧରଣର ପରିବର୍ତ୍ତନ ହୋଇଥିବା ପରିଲିକ୍ଷିତ ହୋଇଥିଲା । ଏପରିକି ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ରାଜନୀତିରୁ ଏକପ୍ରକାର ମୁହଁ ଫେରାଇ ନେଇଥିବା ଚର୍ଚ୍ଚା ହେଉଥିଲା । ଯାହାର ଝଲକ ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା । ନା ଧର୍ମେନ୍ଦ୍ର ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ନା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଅବଶ୍ୟ ଉତ୍ତରପ୍ରଦେଶ ନିର୍ବାଚନର ଦାୟିତ୍ୱ ମିଳିଥିବାରୁ ଧର୍ମେନ୍ଦ୍ର ଓଡ଼ିଶା ଆସିପାରିନଥିଲେ ବୋଲି ଦଳର କିଛି ନେତୃତ୍ୱ ଯୁକ୍ତି ବାଢିଥିଲେ । ଉଭୟ ନିର୍ବାଚନର ଫଳାଫଳ ଏକତରଫା ହୋଇଥିଲା, ଆଉ ଏହା ଶାସକ ବିଜେଡି ସପକ୍ଷରେ ହିଁ ଯାଇଥିଲା । ସେତେବେଳେ ପରାଜୟକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ଥିଲା, ଜନତାଙ୍କ ରାୟକୁ ଆମେ ସମ୍ମାନ କରୁଛୁ । ଆଉ ଏଭଳି ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଟିମ୍ ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବା ଆରମ୍ଭ କରିଥିଲେ । ଅପରାଜିତା ଅସ୍ତ୍ର ଜରିଆରେ ଧର୍ମେନ୍ଦ୍ରଙ୍କୁ ଚେକମେଟ୍ ଦେବାକୁ ଦଳର ଗୋଟିଏ ଗୋଷ୍ଠୀ ଉଦ୍ୟମ କରୁଥିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏଭଳି ସ୍ଥିତିରେ ତୃଳମୂଳସ୍ତରରେ ବିଜେପିର କର୍ମୀ ଦଳରେ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଥିଲେ । ଓଡ଼ିଶାରେ ଶାସକ ବିଜେଡି ପାଇଁ ବିଜେପିର ଆଭିମୁଖ୍ୟ କଣ ତାହା ରାଜନୈତିକ ବିଶ୍ଲେଷକଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଥିଲା । ଧର୍ମେନ୍ଦ୍ରଙ୍କ ଅସମ୍ଭବ ନୀରବତା ମଧ୍ୟ ଓଡ଼ିଶାରେ ବିଜେପି ରାଜନୀତିକୁ ଆହୁରି ରୋଚକ କରିଥିଲା ।

ଏହା ଭିତରେ ଯେତେବେଳେ ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ହେଲା । ସେତେବେଳେ ପୁଣିଥରେ ଓଡ଼ିଶା ରାଜନୀତିରେ ଆକ୍ଟିଭ ମୋଡକୁ ଆସିଥିଲେ ଧର୍ମେନ୍ଦ୍ର । ଦଳର ସଭାପତି ଜେ.ପି ନଡ୍ଡାଙ୍କ ସହ ଦିବଙ୍ଗତ ବିଷ୍ଣୁଙ୍କ ଘରକୁ ଯିବା ହେଉ କି ନିର୍ବାଚନୀ ଅଙ୍କକଷା ସବୁଥିରେ ଧର୍ମେନ୍ଦ୍ର ଥିଲେ ଆଗରେ । ଏପରିକି ଧାମନଗର ଉପ-ନିର୍ବାଚନ ପାଇଁ ନିଜେ ଧର୍ମେନ୍ଦ୍ର ରଣନୀତି ପ୍ରସ୍ତୁତ କରିଥିଲେ । କାରଣ ଏହି ଆସନ ବଜାୟ ରଖିବା ବିଜେପି ପାଇଁ ଚ୍ୟାଲେଞ୍ଜ ଥିଲା । ଯାହାକୁ ପୂରା କରିବାକୁ ପ୍ରସ୍ତୁତ ଥିଲେ ଧର୍ମେନ୍ଦ୍ର । ନିର୍ବାଚନର ଦିନ କେଇଟା ପୂର୍ବରୁ ଧାମନଗର ଠାରୁ କିଛି କିଲୋମିଟର ଦୂରରେ ଦଳୀୟ କର୍ମକର୍ତ୍ତାଙ୍କ ସହ କବାଟ କିଳା ବୈଠକ ହେଉ ଅବା ସୁରଜଙ୍କ ପାଇଁ ଲଗାତାର ୩ ଦିନ ମାରାଥନ ପ୍ରଚାର । ପ୍ରତିଟି କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କୁ ଡ୍ରାଇଭର ସିଟରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ନିର୍ବାଚନରେ ଦଳର ଦୁଇ ହେଭିୱେଟ କୁହାଯାଉଥିବା ଅପରାଜିତା ଓ ବୈଜୟନ୍ତଙ୍କୁ ଦେଖିବାକୁ ମିଳିନଥିଲା । ହିମାଚଳ ପ୍ରଦେଶ ନିର୍ବାଚନର ଦ୍ୱାହି ଦେଇ ଅପରାଜିତା ନିର୍ବାଚନ ପ୍ରଚାର ମୈଦାନକୁ ଆସିନଥିବା ବେଳେ ପ୍ରଚାର ମୈଦାନରେ ବୈଜୟନ୍ତ ସାମିଲ ନହେବା ନେଇ ସେଭଳି କୌଣସି ସ୍ପଷ୍ଟ କାରଣ ନଥିଲା । ପ୍ରଚାର ମୈଦାନରେ ଦୁଇ ହେଭିୱେଟଙ୍କ ଅନୁପସ୍ଥିତି ସତ୍ତେ୍ୱ ମଧ୍ୟ ଧାମନଗରରେ ନୂଆ ଇତିହାସ ଲେଖିଛି ବିଜେପି । ଉପ-ନିର୍ବାଚନରେ ବିଜେପିର ବିଜୟ ପରେ ଏବେ ଏହି ଶ୍ରେୟ ଧର୍ମେନ୍ଦ୍ରଙ୍କ ଖାତାକୁ ଆସିଥିବା କୁହାଯାଉଛି । ଯାହା ବିଜେପି ଶିବିରରେ ଧର୍ମେନ୍ଦ୍ରଙ୍କ କାଟତିକୁ ଆହୁରି ବଢାଇ ଦେଇଛି ।