କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବହୁ ନେତା ଗୋଟିଏ ଦଳ ଛାଡି ଆଉ ଗୋଟିଏ ଦଳରେ ସାମିଲ ହୋଇଥିଲେ। ବିଜେପି, ବିଜେଡି, କଂଗ୍ରେସ ତିନି ଦଳର ନେତା ପୁରୁଣା ଦଳ ଛାଡି ନୂଆ ଦଳକୁ ଯାଇଥିଲେ। କ୍ଷମତାରେ ଥିବାରୁ ବିଜେଡିରେ ଉଭୟ ବିଜେପି ଓ କଂଗ୍ରେସର ବହୁ ନେତା ସାମିଲ ହୋଇଥିଲେ। ହେଲେ, ବିଜେଡି ସରକାର ବଦଳିଯିବା ପରେ ସେହିସବୁ ନେତାଙ୍କ ଟେନସନ୍ ବଢ଼ିଯାଇଛି।

Advertisment
  • ଅସ୍ଥିର ହେଲେଣି ଦଳ ଡିଆଁ
  • ବଢିଲାଣି ଟେନସନ, ସୁଯୋଗ ଖୋଜୁଛନ୍ତି ନେତା

ଚିରଂଜିବ ବିଶ୍ୱାଳ, ବାପି ସର୍ଖେଲ, ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ଦେବାଶିଷ ନାୟକ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ସମୀର ଦାସ, ଅରବିନ୍ଦ ଢାଲି, ଅରିନ୍ଦମ ରାୟ, ପ୍ରିୟଦର୍ଶୀ ମିଶ୍ର 

୨୦୨୪ ନିର୍ବାଚନରେ ସବୁ ସୀମା ଟପିଥିଲା ଆୟାରାମ- ଗୟାରାମ ପଲିଟିକ୍ସ । ପ୍ରତ୍ୟେକ ଦିନ ବିଜେଡି, ବିଜେପି ଓ କଂଗ୍ରେସ ପାର୍ଟି ଅଫିସରେ ଚାଲିଥିଲା ମହା ମିଶ୍ରଣ ପର୍ବ। କେହି ବି ନେତା ସ୍ୱାର୍ଥ ସହ କମ୍ପରମାଇଜ ସ୍ଥିତିରେ ନଥିଲେ। ନିଜ ଦଳରେ ଟିକେଟ ନମିଳିବାରୁ, ହଠାତ୍ ଅନ୍ୟ ପାର୍ଟିରେ ମିଶି ସାଂସଦ ଓ ବିଧାୟକ ଟିକେଟ ହାତେଇଥିଲେ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଅନେକ ବଡ ବଡ ଚେହେରା କିଛି ବଡ ଆଶା ନେଇ ଶାସକ ଦଳ ବିଜେଡିକୁ ଡେଇଁଥିଲେ। ଲଢିବା ପାଇଁ ସୁଯୋଗ ନମିଳିଲେ ବି ନିର୍ବାଚନ ପରେ କିଛି ପଦ ମିଳିବା ଥୟ ବୋଲି ଭାବିନେଇଥିଲେ। ହେଲେ ଏବେ ଅକଳରେ ପଡିଛନ୍ତି ଏହି ନେତା । ଅସ୍ଥିର ହେଲେଣି, କଣ କରିବେ ଆଗକୁ ? କଣ ହେବ ସେମାନଙ୍କ ରାଜନୈତିକ ଭବିଷ୍ୟତ?

ଚିରଞ୍ଜୀବ ବିଶ୍ୱାଳ,ବାପି ସର୍ଖେଲ, ପ୍ରଦୀପ ମାଝୀ, ମନ୍ମଥ ରାଉତରାୟ, ସୁରେନ୍ଦ୍ର ଭୋଇ ଓ ଅଂଶୁମାନ ମହାନ୍ତିଙ୍କ ଭଳି ଟାଣୁଆ ନେତା କଂଗ୍ରେସ ସହ ସଂପର୍କ ଛିନ୍ନ କରି ବଡ ଆଶାରେ ବିଜେଡିରେ ସାମିଲ ହୋଇଥିଲେ । ଅଂଶୁମାନ, ପ୍ରଦୀପ, ମନ୍ମଥ ରାଉତରାୟ ଓ ସୁରେନ୍ଦ୍ର ଭୋଇ ସାଂସଦ ଟିକେଟରେ ଲଢିଲେ, ହେଲେ ମୈଦନାରେ ଚିତପଟାଙ୍ଗ ମାରିଗଲେ । ଚିରଞ୍ଜୀବ ଓ ବାପିଙ୍କୁ ଲଢିବା ପାଇଁ ସୁଯୋଗ ମିଳିଲାନି ,ହେଲେ ଏମାନଙ୍କୁ ରାଜ୍ୟସଭା ଓ ଅନ୍ୟ କିଛି ପଦରେ ଥଇଥାନ ନେଇ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ବିଜେଡିର ପରାଜୟ ପରେ ସବୁ ଆଶା ପାଣି ଫୋଟକା ଭଳି ମିଳେଇଯାଇଛି। ଏହି ନେତା ଏବେ ବିଜେଡି ଶିବିରରେ ଏତେଟା ଦେଖାଯାଉନାହାନ୍ତି । ଜଗତସିଂହପୁରର କିଛି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି ।

ଅନ୍ୟପଟେ ବିଜେପିକୁ ଆସିଥିବା ନେତା ଏବେ ଲାଭରେ ଅଛନ୍ତି । କିଛି ନେତା ବିଧାୟକ ବନି ଯାଇଛନ୍ତି ଆଉ କିଛି ନେତାଙ୍କୁ ପଦ ଦିଆଯାଇ ଥଇଥାନ କରାଯିବ ବୋଲି ଦଳୀୟ ମହଲରୁ ସୂଚନା ମିଳୁଛି। ହେଲେ ବିଜେଡିରେ ସାମିଲ ହୋଇଥିବା ନେତା ଚିନ୍ତାରେ ଅଛନ୍ତି । ସେହିପରି ବିଜେପିରୁ ଆସି ବିଜେଡି ଟିକେଟରେ ଲଢିଥିବା ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ମଧ୍ୟ ପରାଜୟର ସ୍ୱାଦ ଚାଖିଲେ । ହୁଏତ ଏହି ନେତା ବିଜେପିରେ ଥିଲେ ଆଜି ବଡ ପଦ ପଦବୀ ତାଙ୍କୁ ମିଳିଥାନ୍ତା । ତେଣୁ ଏହି ନେତା ଏବେ ଟେନସନରେ ।