ବିଜୁ ଜନତା ଦଳରେ ମିିଶିଲେ ସୁରେନ୍ଦ୍ର ସିଂ ଭୋଇ । ଏପଟେ ବିଜେପି ଛାଡ଼ିଲେ ନୀଳଗିିରି ବିଧାୟକ ସୁକାନ୍ତ ନାୟକ । ବିଜେଡିକୁ ଫେରିବା ଚର୍ଚ୍ଚା

ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେଡିରେ ହୋଇପାରନ୍ତି ସାମିଲ

128

କନକ ବ୍ୟୁରୋ: ଟିକେଟ୍ ଘୋଷଣା ହେବାକୁ ଅପେକ୍ଷା ଭିତରେ ତେଜିଛି ଦଳଡିଆଁ ରାଜନୀତି । ଖାସକରି ଶାସକ ଦଳରେ ଚାଲିଛି ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ଦଳର ନେତା ଏବେ ବିଜେଡିକୁ ଡିଆଁ ମାରୁଛନ୍ତି । ଆଜି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ଏବଂ କଟକ ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରକାଶ ବେହେରା ଇସ୍ତଫା ଦେଇଛନ୍ତି । ଉଭୟ ନେତା ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି । ଅନ୍ୟପଟେ କଂଗ୍ରେସରୁ ଇସ୍ତଫା ଦେଇଥିବା ବଲାଙ୍ଗୀରର ସୁରେନ୍ଦ୍ର ସିଂହ ଭୋଇ ବିଜେଡିରେ ସାମିଲ ହୋଇଛନ୍ତି ।

  • ବିଜେଡିରେ ମିଶିଲେ ସୁରେନ୍ଦ୍ର ସିଂ ଭୋଇ
  • କଂଗ୍ରେସ ଛାଡ଼ିବାର ଦିନକ ପରେ ବିଜେଡିରେ ସାମିଲ
  • ବଲାଙ୍ଗୀର ଲୋକସଭାରୁ ଲଢ଼ିବେ କି ନିର୍ବାଚନ?

ପୂର୍ବତନ ବିଧାୟକ, ପୂର୍ବତନ କଂଗ୍ରେସ ବିଧାୟକ ଦଳ ନେତା, ଏକାଧିକ ଥରର ବିଧାୟକ ତଥା ବଲାଙ୍ଗୀର ରାଜନୀତିର ଅନ୍ୟତମ ପ୍ରମୁଖ ଚେହେରା ସୁରେନ୍ଦ୍ର ସିଂ ଭୋଇ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏବଂ ଟୁକୁନି ସାହୁଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇବାର ଠିକ୍ ଦିନକ ପରେ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ସଇଁତଳା ଏବଂ ଟିଟିଲାଗଡ଼ ଆସନରୁ ନିର୍ବାଚିତ ହୋଇ ବିଧାନସଭା ଆସିଥିବା ସୁରେନ୍ଦ୍ର ସିଂ ଭୋଇ ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏପଟେ ଦଳବଳ ନେଇ ବିଜେଡିରେ ବିଜେପିର ଶହ ଶହ ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରାଇଛନ୍ତି ବିଜେଡିର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅଭିନାଶ ସାମଲ୍ ଏବଂ ବିଧାୟକ ପ୍ରାର୍ଥୀ ସୁଧୀର ସାମଲ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଢ଼େଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ବୋଲି କୁହାଯାଉଛି ।

  • ବିଜେପି ଛାଡିଲେ ସୁଶାନ୍ତ, ପ୍ରକାଶ
  • ବିଜେଡିରେ ଯୋଗଦେବା ଚର୍ଚ୍ଚା

ବିଜେପି ଛାଡିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ଖୁବଶୀଘ୍ର ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ୨୦୧୪ରେ ସେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ । ପରେ ୨୦୧୯ରେ ସେ ବିଜେଡି ଛାଡି ବିଜେପି ଯୋଗଦେଇଥିଲେ । ବିଜେପି ଟିକେଟରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ସୁକାନ୍ତ ନାୟକ । ହେଲେ ଏବେ ସେ ବିଜେପି ଛାଡିବା ପରେ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେପି ଛାଡ଼ିବା ପରେ ବିଜେଡିରେ ମିଶିପାରନ୍ତି ପ୍ରକାଶ ବେହେରା । ୨୦୧୪ରେ ସେ ସାଲେପୁର ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ପରେ ୨୦୧୯ ମସିହାରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ।