ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ : ପୂର୍ବଭଳି ୩୦ଟି ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ; ଜାଣନ୍ତୁ କେଉଁଠି କ’ଣ ଖୋଲା ଓ କ’ଣ ବନ୍ଦ ?

1,002

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମି ଚାଲିଛି । କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ । ତେଣୁ ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି । ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ କଟକଣାକୁ ବଢ଼ାଇ ଦେଇଛନ୍ତି । ତେବେ ଅନେକ ଜିଲ୍ଲାରେ କୋହଳ କରାଯାଇଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି ।

‘କାଟାଗୋରୀ-ଏ’ରେ ଥିବା ଜିଲ୍ଲା : ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା । ‘କାଟାଗୋରୀ-ଏ’ ରେ ପୂର୍ବଭଳି ଏହି ୨୦ଟି ଜିଲ୍ଲା ରହିବ । ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା, ୭ ଦିନ ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଦୈନିକ ଓ ସାପ୍ତାହିକ ହାଟ ଖୋଲା ରହିବ ।

‘କାଟାଗୋରୀ-ବି’ରେ ଥିବା ଜିଲ୍ଲା : ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ । ‘କାଟାଗୋରୀ-ବି’ ରେ ପୂର୍ବଭଳି ଏହି ୧୦ଟି ଜିଲ୍ଲା ରହିବ । ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲିବ । ସେହିଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଦୈନିକ ଓ ସାପ୍ତାହିକ ହାଟ ଖୋଲିପାରିବନି । କାଟାଗୋରୀ-ବି ଜିଲ୍ଲାରେ ବସ୍ ଚଳାଚଳ କରିବ ।

ପୂର୍ବଭଳି ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ମଧ୍ୟ ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ । ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍‌ ସେବା ଆଦି ପୂର୍ବ ପରି ଚାଲୁ ରହିବ । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଜାରି ରଖିବେ।  ମିଠା ଦୋକାନୀ, ଠେଲାଗାଡ଼ି ଓ ଉଠାଦୋକାନୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ ।

ତେବେ ଗ୍ରାହକମାନେ କେବଳ ଖାଦ୍ୟ କିଣି ଘରକୁ ନେଇପାରିବେ । କେହି ଦୋକାନରେ ବସି କିମ୍ବା ସେଠାରେ ‌ଠିଆ ହୋଇ ଖାଇପାରିବେ ନାହିଁ । କଟକଣା କୋହଳ ସମୟରେ ଦୋକାନଗୁଡ଼ିକ ମଧ୍ୟରେ ନିର୍ଦ୍ଧାରିତ ଦୂରତା ବଜାୟ ରଖିବା, ଦୋକାନରେ ଭିଡ଼ ନ ହେବା ଆଦିକୁ ସଂପୃକ୍ତ ଦୋ‌କାନୀ ଓ ବଜାର କମିଟି ନିଶ୍ଚିତ କରାଇବେ । ନିୟମ ଖିଲାପ କଲେ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ। ଉଭୟ ଦୋକାନୀ ଓ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଓ ଠିକ୍ ଭାବେ ମାସ୍କ ପିନ୍ଧିବେ ।