ସଂକ୍ରମଣ କମିଲା, ହେଲେ ତାଲା ଖୋଲିବାକୁ ସାହସ କଲେନି ସରକାର । ଅଗଷ୍ଟ ପହିଲା ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍ ।

357

କନକ ବ୍ୟୁରୋ: ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କଟକଣା କୋହଳ ହେବ ନା ପୂର୍ବଭଳି ବଳବତ୍ତର ରହିବ, ଏହାକୁ ନେଇ ରାଜ୍ୟବାସୀ ଚାହିଁ ରହିଥିବାବେଳେ ଆଂଶିକ ଲକଡାଉନ କଟକଣାକୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବଭଳି ଏଥର ମଧ୍ୟ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀରେ ରଖି କଟକଣାକୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ କେନ୍ଦୁଝର ,ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ଓ ଅବିଭକ୍ତ ପୁରୀ, କଟକ , ବାଲେଶ୍ୱର ଓ ମୟୂରଭଞ୍ଜର ୧୦ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି ।

ପୁଣି ଥରେ ସଂକ୍ରମଣ ହାର କମ୍ ବେଶୀ ଥିବା ଦର୍ଶାଇ ସାରା ଓଡିଶାକୁ ଦୁଇ ଭାଗରେ ବାଣ୍ଟି ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବଭଳି ଅପେକ୍ଷାକୃତ ସଂକ୍ରମଣ ହାର କମ୍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ ଢ଼େଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି ।

କାଟାଗୋରୀ ‘ଏ’ରେ ଥିବା ଜିଲ୍ଲା ଗୁଡିକରେ

– ସପ୍ତାହକ ସାତ ଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲିବ
– ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ
– ସପ୍ତାହନ୍ତ ସଟଡାଉନ ରହିବ ନାହିଁ
– ସାପ୍ତାହିକ ଓ ଦୈନିକ ହାଟ ଖୋଲିବ

ସେହିପରି ଉପକୂଳ ଓ ଉତ୍ତର ଓଡିଶାର ୧୦ ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖିଛନ୍ତି ରାଜ୍ୟ ସରକାର । ଏସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ ସରକାର ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ।

କାଟାଗୋରୀ ‘ବି’ରେ ଥିବା ଜିଲ୍ଲା ଗୁଡିକରେ..

– ସୋମବାରରୁ ଶୁକ୍ରବାର ୫ଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲିବ
– ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ରହିବ
– ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ
– ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ

ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ସିନା ଲାଗିଲା ହେଲେ, ଜିମ୍, ସ୍ପା , ବିଉଟି ପାର୍ଲରକୁ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଫଳରେ ଏହା ଉପରେ ନିର୍ଭରଶୀଳ ଥିବା ଲୋକଙ୍କ ଜୀବିକା ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଜୀବନ ଜୀବିକା ସହ ସମନ୍ୱୟ ରକ୍ଷା କରିବାକୁ ଯାଇ ପୂର୍ବ ଅପେକ୍ଷା ଏଥର କେତେକ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି ।