କନକ ବ୍ୟୁରୋ : ଆଇପିଏଲରେ ଆଜି ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚେନ୍ନାଇ-ବାଙ୍ଗାଲୋର । ଗୋଟିଏ ପଟେ ବାଙ୍ଗାଲୋର ନିଜର ବିଜୟ ଧାରା ବଜାୟ ରଖିବାକୁ ଉଦ୍ୟମ କରିବ ଆଉ ଅନ୍ୟପଟେ ଚେନ୍ନାଇ ବିଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ମୈଦାନକୁ ଓହ୍ଲାଇବ । ତେବେ ଚେନ୍ନାଇର ବିଜୟକୁ ସହଜ କରିବା ପାଇଁ ଏବେ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିନାୟକ ପଦ ଛାଡିଥିବା ଧୋନୀ ଚଳିତ ଆଇପିଏଲ ସିଜିନର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କୌଣସି ମ୍ୟାଚରେ ଜଲୱା ଦେଖାଇ ପାରିନାହାନ୍ତି । ଆଉ ଏସବୁ ଭିତରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ, ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଏକ ଟ୍ୱିଟ୍ କରିଛନ୍ତି । ଯାହା ବେଶ ଚର୍ଚ୍ଚା ସାଉଁଟିଛି ।
ପାର୍ଥିବଙ୍କ ଟ୍ୱିଟ କରି କହିଛନ୍ତି, ଧୋନୀଙ୍କ ବ୍ୟାଟିଂ ଷ୍ଟାଇଲ ଓପନିଂ ପାଇଁ ଠିକ୍ ନଥିଲେ ବି କଠିନ ପରିସ୍ଥିତିରେ କିଭିଳି ଲଢିହେବ ତାହାର କୌଶଳ ଜାଣିଛନ୍ତି ଧୋନୀ । ଥରେ ସେଟ୍ ହେବା ମାତ୍ରେ ଧୋନୀଙ୍କୁ ଅଟକାଇବା ସମ୍ଭବ ନୁହେଁ । ତେଣୁ ଧୋନୀଙ୍କୁ ଓପନିଂ ପଢାଇବା ପାଇଁ ଚେନ୍ନାଇ ପାଖରେ ଭଲ ସୁଯୋଗ ରହିଛି । ଆପଣଙ୍କ ମତ କଣ? କିଛି ଏଭଳଇ ଟ୍ୱିଟ୍ କରି ଧୋନୀଙ୍କ ଓପନିଂ ବ୍ୟାଟିଂ ଅର୍ଡର ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ପାର୍ଥିବ ।
Dhoni’s technique may not be copy book for an opener but he has his own methods how to survive in tough conditions and then score heavily. Perhaps no better time than now for #CSK to try out #Dhoni as an opener? What you think? #IPL2022https://t.co/vqciVKfrUx
— parthiv patel (@parthiv9) April 10, 2022
ତେବେ ଆଇପିଏଲ ଇତିହାସରେ ଏଯାବତ ଧୋନୀ କୌଣସି ମ୍ୟାଚରେ ଓପନିଂ କରିବାକୁ ଆସିନାହାନ୍ତି । ଏପରିକି ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ମାତ୍ର କେଇଟା ମ୍ୟାଚରେ ଧୋନୀଙ୍କୁ ଏହି କ୍ରମରେ ବ୍ୟାଟିଂ କରିବାର ଦେଖିବାକୁ ମିଳିଥିଲା । ମାତ୍ର ୨ଟି ଇନିଂସରେ ଓପନିଂ କରିବାର ସୁଯୋଗ ପାଇଛନ୍ତି ଧୋନୀ । ଆଉ ଏହି କ୍ରମରେ ବ୍ୟାଟିଂ କରି ୯୮ ରନ୍ କରିଛନ୍ତି । ଗୋଟିଏ ଇନିଂସରେ ୯୬ ରନ୍ କରିଥିବା ଅନ୍ୟ ଇନିଂସରେ ମାତ୍ର ୨ ରନ୍ କରିଥିଲେ ଧୋନୀ ।
ଚଳିତ ଆଇପିଏଲ ସିଜିନରେ ଧୋନୀ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୯୨ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଥିବା ବେଳେ ଅନ୍ୟ ୩ଟି ମ୍ୟାଚରେ ସେଭଳି ବଡ ସ୍କୋର ଦେଖିବାକୁ ମିଳିନି ।