ଅନ୍ତର୍ଜାତୀୟ କ୍ରିକେଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା : ଟୁଇଟ୍ କରି କହିଲେ, ୧୮ ବର୍ଷର କ୍ରିକେଟ ଯାତ୍ରାରେ ଟାଣୁଛି ପୂର୍ଣ୍ଣଛେଦ

871

କନକ ବ୍ୟୁରୋ : ସମସ୍ତ ପ୍ରତିଯୋଗୀତା ମୂଳକ କ୍ରିକେଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା । ଆଜି ଟୁଇଟ୍ କରି ଅବସର ନେଇ ସୂଚନା ଦେଇଛନ୍ତି ପାର୍ଥିବ୍ ପଟେଲ । ଏହା ସହିତ ଟିମଇଣ୍ଡିଆରେ ତାଙ୍କର ୧୮ ବର୍ଷର କ୍ରିକେଟ୍ ଯାତ୍ରା ଶେଷ ହୋଇଛି । ୧୭ ବର୍ଷ ବୟସରେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଶେଷ ଥର ପାଇଁ ଟେଷ୍ଟ ଖେଳିଥିଲେ । ଭାରତୀୟ ଦଳରେ ଜଣେ ୱିକେଟ କିପର ବ୍ୟାଟସ୍ ମ୍ୟାନ୍ ଭାବେ ସେ ୨୮ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି ୨୦ ମ୍ୟାଚ ଖେଳିଛନ୍ତି ।

ଟୁଇଟ୍ କରି ପାର୍ଥିବ କହିଛନ୍ତି ଆଜି ମୁଁ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା ସହିତ ୧୮ ବର୍ଷର କ୍ରିକେଟ ଯାତ୍ରାରେ ପୂର୍ଣ୍ଣଛେଦ ଟାଣୁଛି । ଅନେକଙ୍କ ପାଇଁ ଏହି ଅବସରରେ ମୁଁ ଋଣି ରହିବି । ୧୭ ବର୍ଷର ବାଳକ ଭାରତୀୟ ଦଳ ପାଇଁ ଖେଳିବା ସମୟରେ ମୋ ଉପରେ ବିସିସିଆଇ ପ୍ରଚୁର ଆତ୍ମବିଶ୍ୱାସ ଦେଖାଇଥିଲା । ମୋ ହାତ ଧରି ଯେଉଁମାନେ ଆଗକୁ ବଢାଇଥିଲେ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ । ଗୁଜରାଟ ପକ୍ଷରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୧ ହଜାର ରନ୍ ସ୍କୋର କରିଛନ୍ତି ପାର୍ଥିବ । ଏହା ମଧ୍ୟରେ ୨୭ ଶତକ ଓ ୬୭ ଅର୍ଧଶତକ ରହିଛି । ୨୦୧୬-୧୭ ସିଜିନରେ ଗୁଜରାଟକୁ ରଣଜୀ ଚାମ୍ପିଅନ୍ କରାଇଥିଲେ ପଟେଲ ।