କନକ ବ୍ୟୁରୋ : ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଏବେ ଠିକ ସେମିତି କିଛି ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଖୋଳତାଡ କରୁଥିବା ଇଡି ସ୍କାନରେ ପଶ୍ଚିମବଙ୍ଗ କ୍ୟାବିନେଟରୁ ବିତାଡିତ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଅର୍ପିତା ଚାର୍ଟାଜୀ ଆସିବା ପରେ ତାଜୁବ କରିବା ଭଳି ସମ୍ପତି ଜବତ ହେଉଛି । ଏବେ ଘଟଣାରେ ଆସିଛି ନୂଆ ମୋଡ । ନେତା ଓ ଅଭିନେତ୍ରୀଙ୍କ ମିଳିତ ନାଁରେ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତି ରହିଥିବା ଇଡି କହୁଥିବାବେଳେ ଏବେ ଶାନ୍ତିନିକେତନରେ ଠାବ ହୋଇଛି ଦାମୀ ତଥା ବିଶାଳ ଫାର୍ମହାଉସ । ସବୁଠୁ ବଡ କଥା ହେଉଛି ଏହି ଫାର୍ମହାଉସରେ ଥିବା ଘରର ନାଁ ପାର୍ଥ ଓ ଅର୍ପିତାଙ୍କ ନାଁ ରହିଛି ।

Advertisment

ଶନିବାର ପାର୍ଥ ଚାଟାର୍ଜୀଙ୍କ ୮ଟି କମ୍ପାନୀର ବ୍ୟାଙ୍କ ଖାତାକୁ ଫ୍ରିଜ କରିଛି ଇଡି । ଅନ୍ୟପଷରେ ଅର୍ପିିତାଙ୍କ ୩ଟି ବ୍ୟାଙ୍କ ଆକାଉଁଟକୁ ପୂର୍ବରୁ ଇଡି ଫ୍ରିଜ କରି ସାରିଛି । ତେବେ ଜେରା ସମୟରେ ପାର୍ଥ ଚାଟାର୍ଜୀ ଏକ ବଡ ବୟାନ ଦେଇଛନ୍ତି । ନେତାଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷକ ନିଯୁକ୍ତ ହେଉଥିବା ସେ କହିଛନ୍ତି । ପାର୍ଥ ଓ ଅର୍ପିତାଙ୍କ ଅଲଗା ଅଲଗା ଜେରା ଚାଲିଛି । ସେମାନଙ୍କ ବୟାନରେ ତାଳମେଳ ଖାଊନଥିବା ଯୋଗୁଁ ଦୁଇଜଣଙ୍କୁ ଏକାଠି ବସାଇ ଜେରା କରାଯିବ ।

ଅନ୍ୟପଟେ ମାମଲାରେ ଆଗକୁ ସିବିଆଇ ଓ ଆୟକର ବିଭାଗର ତଦନ୍ତର ମଧ୍ୟ ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଖୋଳତାଡ କରୁଛି ଇଡି । ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଯାଂଚରେ ମିଳିସାରିଲାଣି ଅସରନ୍ତି ସମ୍ପତି । ପଶ୍ଚିମବଙ୍ଗ କ୍ୟାବିନେଟର ବିତାଡିତ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଅର୍ପିତା ଚାର୍ଟାଜୀଙ୍କ ଠିକଣାରୁ କୋଟି କୋଟି ଟଙ୍କା, ସୁନା, ବିଦେଶୀ ମୁଦ୍ରା, ଫ୍ଲାଟ, ବଙ୍ଗଳା ମିଳିସାରିଛି । ତଦନ୍ତ ଚାଲିଛି,ଜେରା ବି ହେଉଛି । ଦେଖିବାକୁ ବାକି ରହିଲା ମନ୍ତ୍ରୀ ଓ ଅଭିନେତ୍ରୀଙ୍କ ନିକଟରୁ ଆଗକୁ ଆଉ କଣ ସବୁ ଜବତ କରୁଛି ଇଡି ।